ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କୋ-ଅପରେଟିଭ ବ୍ୟାଙ୍କରେ ଯେଉଁ ମାନେ ଅନିୟମିତତା କରୁଛନ୍ତି ସେମାନଙ୍କୁ ସହଯୋଗ କରୁଛି ବିଜେଡି ସରକାର । ରାଜ୍ୟରେ ଏବେ ଶାସନ ବ୍ୟବସ୍ଥା ଠିକ ଚାଲୁ ନାହିଁ । ଯାହା କେବଳ ବିଜେପି ନେତା ନୁହଁ ଶାସକ ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭାଗିରଥୀ ସେଠୀ କହିଛନ୍ତି । ରାଜ୍ୟରେ ଏବେ ସରକାରୀ ଅଫିସର ରାଜ୍ୟ ଚଳାଉଛନ୍ତି । ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।
ନୂଆ ସମବାୟ ସମିତି ପାଇଁ ଯେଉଁ ମାନେ ନିର୍ବାଚିତ ହେଉଛନ୍ତି ସେମାନେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଯାହାବି ଅନିୟମିତତା ହୋଇଛି ତାହାର ତଦନ୍ତ କରାଯାଉ । ସୁନ୍ଦରଗଡ଼ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ସଭାପତି ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ ଭବାନୀ ପ୍ରସାଦ ମାଝୀ ଏବଂ ସୁରେଶ ଦାସ ଅନେକ ଟଙ୍କା ଅନିୟମିତତା କରିଛନ୍ତି । ମାତ୍ର ଏମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହ ଫଟୋ ଉଠାଉଥିବାର ଦେଖିବାକୁ ମିଳୁଛି । ଏହି ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ଅଚଳା ଅବସ୍ଥାର ସୁଧାର ପାଇଁ ମଧ୍ୟ ଦାବି କରାଯାଇଛି ।
ଏହାସହ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ ମଧ୍ୟ ବାଚସ୍ପତି ଏହାକୁ ଗୁରୁତ୍ୱ ଦେଇନଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କହିଛନ୍ତି । ସୁନ୍ଦରଗଡ଼ ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କୁ ବାଦ ଦିଆଯାଇ ଏହି ନିର୍ବାଚନ ହୋଇଛି ଏବଂ ନିର୍ବାଚନ ଚାଲିଥିବା ସମୟରେ ଜଣେ ଦିବ୍ୟାଙ୍ଗ ଅଧିକାରୀଙ୍କୁ ମାଲକାନଗିରି ସ୍ଥାନାନ୍ତରିତ କରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଏହାସହ ସରକାରଙ୍କ ନିକଟରେ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର