ଭୁବନେଶ୍ବର : ବିଜେପି ବିଧାୟକ ମୋହନ ମାଝୀଙ୍କୁ ବୋମାମାଡ଼ ଅଭିଯୋଗ ଘଟଣା । ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ଓଡ଼ିଶାରେ ଏବେ ପଶ୍ଚିମବଙ୍ଗ ଓ ବିହାର ଭଳି ରାଜନୈତିକ ହିଂସା ଓ ଅସହିଷ୍ଣୁତା ବଢିବାରେ ଲାଗିଛି ।
ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ଅପରାଧରେ ଓଡିଶା ଏବେ ପଶ୍ଚିମବଙ୍ଗ ଓ ବିହାର ମୁହାଁ ହେଲାଣି । ରାଜନୈତିକ ହିଂସା ଓ ଅସହିଷ୍ଣୁତାରେ ପଶ୍ଚିମବଙ୍ଗ ଦେଶରେ ଏକ ନମ୍ବର । ଓଡିଶାରେ ଏବେ ସେହିପରି ଚିତ୍ର ଦେଖିବାକୁ ମିଳିଲାଣି । ଓଡ଼ିଶା ଏକ ଶାନ୍ତି ପ୍ରିୟ ପ୍ରଦେଶ । ଓଡିଶାରେ ଦଳମତ ନିର୍ବିଶେଷରେ ଭାଇଚାରା ଥାଏ । ପ୍ରତିପକ୍ଷ ସହ ମଧ୍ୟ ସ୍ନେହ ଶ୍ରଦ୍ଧା ଥାଏ । କିନ୍ତୁ ଗତ କିଛି ବର୍ଷ ହେବ ଓଡିଶାରେ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି । ପ୍ରତିପକ୍ଷକୁ ଆକ୍ରମଣ ଓ ପରେ ଦୋଷୀ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଯାହା ଓଡିଶା ପାଇଁ ଶୁଭଙ୍କର ନୁହେଁ ।
ମୋହନ ମାଝୀଙ୍କ ଭଳି ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ । ଅତୀତରେ ମଧ୍ୟ ପ୍ରତିପକ୍ଷ ମାନଙ୍କ ଉପରେ ଆକ୍ରମଣ ହୋଇଛି । ହେଲେ ପୋଲିସ ପ୍ରଶାସନ ଚୁପ ରହିଛି । ମହିଳା ଓ ଦଳିତ ମାନଙ୍କ ଉପରେ ଆକ୍ରମଣ ହେଉଛି । ବରଗଡ଼ରେ ମଧ୍ୟ ଜଣେ ଦଳିତଙ୍କୁ ହତ୍ୟା କରାଗଲା । ସେଥିରେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଓଡିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟୟ । ଆଇନ ତା ବାଟରେ ଆଉ ଯାଉନାହିଁ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ସମ୍ଭାଳିବା ଅସମର୍ଥ ଥିବା ଭଳି ଲାଗୁଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ