ଭୁବନେଶ୍ବର: ଧର୍ମ, ସାହିତ୍ୟ, ସଂସ୍କୃତି ଓ ମାନବବାଦ ମହାନ ତଥା ଉଜ୍ଜ୍ବଳମୟ ଜ୍ୟୋତିଷ୍କ ସନ୍ଥକବି ଭୀମ ଭୋଇଙ୍କୁ ଜାତୀୟ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ଉଠିଛି ଦାବି । ମହିମା ଧର୍ମର ମୁଖ୍ୟ ପୁରୋଧା ତଥା ମାନବବାଦର ଅନନ୍ୟ ପ୍ରବକ୍ତା ସନ୍ଥକବି ଭୀମଭୋଇଙ୍କ ନାଁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୁକ୍ତଙ୍କର ଅଗ୍ରଧାଡ଼ିର ଦାର୍ଶନିକ ଏବଂ ସାମାଜିକ ସୁଧାରକ ତାଲିକାରେ ସ୍ଥାନିତ କରିବା ସହିତ ଜାତୀୟ ପାଠ୍ୟକ୍ରମରେ ସ୍ଥାନିତ କରିବା ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ସାଂସଦ ।
ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରି ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ ସହ ଜଡ଼ିତ ସାମଗ୍ରିକ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଆଲୋଚନା କରିଛନ୍ତି ।
ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଏକ ପରିବାରରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟାରେ ଜନ୍ମଗ୍ରହଣ କରିଥିଲେ । ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ନିଜ ପ୍ରତିଭା ବଳରେ ହିଁ ସ୍ବତନ୍ତ୍ର ଶୈଳୀରେ ରଚନା କରୁଥିଲେ କବିତାବଳୀ ।
ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଭଳି କୁସଂସ୍କାରର ପ୍ରଚଳନ ବିରୋଧରେ ଭୀମଭୋଇ ଅନେକ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଙ୍କ ଦ୍ବାରା ଅନୁପ୍ରାଣିତ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ଅର୍ଜନ କରିଥିଲେ ।