ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଗୁରୁତର ଅସୁସ୍ଥ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧୀନ । ହେଲେ ପରବର୍ତ୍ତୀ ବିରୋଧୀ ଦଳ ନେତା କିଏ ହେବ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଧାୟକଙ୍କୁ ବିରୋଧୀ ଦଳ ନେତା ଆବଶ୍ୟକ ଅଛି । ହେଲେ ଆସନ୍ତା ଅଧିବେଶନରେ ବିଜେପିକୁ ବିଧାୟକ ଦଳ ନେତା ନେତା ମିଳିନପାରେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
କୋଭିଡ଼ ସଂକ୍ରମିତ ହୋଇ ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ଗତ 3 ଟି ବିଧାନସଭା ଅଧିବେଶନରେ ବିନା ବିରୋଧୀ ଦଳ ନେତାରେ ଚାଲିଛି ବିଧାନସଭା । ପ୍ରଦୀପ ସୁସ୍ଥ ହୋଇ ଦାୟିତ୍ୱ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଦୀପଙ୍କର ବିଗୁଡୁଥିବା ସ୍ୱାସ୍ଥ୍ୟ ଅବସ୍ଥା ଏମିତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦୀପଙ୍କ ବିକଳ୍ପ ଆବଶ୍ୟକତା ରହିଛି । ତେଣୁ ନେତୃତ୍ୱ ଶୂନ୍ୟ ବିରୋଧୀ ଦଳର ପରବର୍ତ୍ତୀ ନେତା କିଏ ହେବ ଚର୍ଚ୍ଚା ଲାଗି ରହିଛି । ଆଶା କରାଯାଇଥିଲା କି, ଆସନ୍ତା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନିଶ୍ଚୟ ଚୟନ ହେବେ । କିନ୍ତୁ ଏ ନେଇ ଆଶା କ୍ଷୀଣ ଥିବା ମନେ କରାଯାଉଛି । ଏ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
ବିଷ୍ଣୁ କହିଛନ୍ତି ଯେ, ବିରୋଧୀ ଦଳ ନେତା ଦରକାର ବୋଲି ବିଧାୟକ ମାନେ ଅନୁଭବ କରୁଛନ୍ତି । ଯିଏ ଅଛନ୍ତି ରହିବେ କି ଆଉ କିଏ ହେବେ ଦଳ ନିଷ୍ପତ୍ତି ନେବ । ନେତା ପରିବର୍ତ୍ତନ ନେଇ କେନ୍ଦ୍ର ନେତା ଓ ରାଜ୍ୟ ନେତା ନିଷ୍ପତ୍ତି ନେବେ । ହେଲେ ଚଳିତ ଅଧିବେଶନରେ ବିରୋଧୀଦଳ ନେତା ବଦଳିବା ପରି ଲାଗୁନି ବୋଲି କହିଛନ୍ତି ବିଷ୍ଣୁ । ମୁଁ ବିରୋଧୀ ଦଳ ନେତା ହେବା ନେଇ କେଉଁଠି ଲବି କରିନାହିଁ । କିମ୍ବା କିଏ ହେବ ସେକଥା ଜାଣି ନାହିଁ । କେନ୍ଦ୍ର ଓ ରାଜ୍ୟ ନେତା ନିଷ୍ପତ୍ତି ନେବେ । ଦଳରେ ଆମେ ସୈନିକ, ଯାହା ଦାୟିତ୍ବ ଦେବେ କାମ କରିବୁ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଧାନସଭାରେ ବିଜେପି ପ୍ରସଙ୍ଗ କଣ ଉଠାଇବା ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଇଟିଭି ଭାରତ, ଭୁବନେଶ୍ବର