ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award to Naveen)ରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହାପରେ ବିଜେଡି କର୍ମୀଙ୍କ ପକ୍ଷରୁ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ତେବେ ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ମୁଖ୍ୟମନ୍ତ୍ରୀଙ୍କୁ ଲାଇଫଟାଇମ ଏଚିଭମେଣ୍ଟ ଆୱାର୍ଡ ପ୍ରସଙ୍ଗକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଆୱାର୍ଡ ପାଇବାରେ କିଛି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଆୱାର୍ଡ ପାଆନ୍ତୁ । କିନ୍ତୁ ସେଇ କଥାକୁ ନେଇ ମୁଖ୍ୟମନ୍ତ୍ରୀ ଯେଭଳି ରାଜନୈତିକ ଗେମ୍ ଖେଳିବାକୁ ଚେଷ୍ଟା କରୁଛନ୍ତି, ତାହାଠୁ ବଡ଼ ଲଜ୍ଜାଜନକ କଥା ଆଉ କିଛି ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟତମ ଆତ୍ମସମ୍ମାନ ଥିବ ।
ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ଯେଉଁ ରାଜନୈତିକ ବନ୍ଧୁମାନେ ଆୱାର୍ଡକୁ ନେଇ ଚିତ୍କାର କରିବା ଆରମ୍ଭ କରିଛନ୍ତି ଏବଂ ବିରାଟ ଆୟୋଜନ କରିବାକୁ ଚେଷ୍ଟା କରୁଛନ୍ତି ତାହାକୁ ମନା କରିଥାଆନ୍ତେ । ମୁଖ୍ୟମନ୍ତ୍ରୀ କୁହନ୍ତେ ଯେ, "ମୁଁ ଆୱାର୍ଡ ପାଇଲି ଗଣମାଧ୍ୟମ ଜରିଆରେ ଲୋକ ଦେଖିବ ସେତିକି ଠିକ୍ । ମାତ୍ର ତାକୁ ନେଇ ପ୍ରଦର୍ଶନ ଓ ଶୋଭାଯାତ୍ରା ଭଳି ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦଳର ଲୋକମାନେ ହିଁ ନିଚା ଦେଖାଉଛନ୍ତି । ବୋଧ ହୁଏ ଏହା ମୁଖ୍ୟମନ୍ତ୍ରୀ ବୁଝି ପାରୁ ନାହାଁନ୍ତି ।"
ଏହା ବି ପଢ଼ନ୍ତୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ
ପ୍ରତ୍ୟେକ ସଂସ୍ଥା ତାହାର ବାର୍ଷିକ ଉତ୍ସବ ପାଳନ କରିଥାଏ । ଆଉ ସେଠି କାହାକୁ ନା କାହାକୁ ସମ୍ମାନିତ ବି କରିଥାଆନ୍ତି । ଇଏ ସେଭଳି ଗୋଟିଏ ସଂସ୍ଥା ଯିଏକି ବିଭିନ୍ନ ଲୋକଙ୍କୁ ସମ୍ମାନିତ କରୁଛନ୍ତି । ସେହି ତାଲିକା ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ସାମିଲ ରହିଥିଲେ । କିନ୍ତୁ ତାହାକୁ ନେଇ ରାଜନୈତିକ ଦୃଷ୍ଟି କୋଣରୁ ପ୍ରଦର୍ଶନ କରିବା ଅପେକ୍ଷା ଓଡ଼ିଶାର ବିକାଶ କେମିତି ହେବ ତାହା ଉପରେ ଅଧିକ ଗୁରୁତ୍ବ ଦିଆଗଲେ ରାଜ୍ୟ ପାଇଁ ମଙ୍ଗଳ ହୁଅନ୍ତା ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି ମଙ୍ଗଳ ହୁଅନ୍ତା ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଏମିତି ଆୱାର୍ଡ ପ୍ରଦର୍ଶନ କଲେ ବ୍ୟକ୍ତିତ୍ବ ବିକ୍ରି ହୁଏନି । ବିକାଶର ଧାରା ଦେଖାଇଲେ ବ୍ୟକ୍ତିତ୍ବ ବିକ୍ରି ହୁଏ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଆଶାୟୀଙ୍କୁ ନିଯୁକ୍ତି, ଶିଳ୍ପାୟନର ଆବଶ୍ୟକତା ରହିଛି । ତାହା ହେଲେ ବ୍ୟକ୍ତିତ୍ବ ବିକ୍ରି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତା ନାହିଁ ବୋଲି କହିଛନ୍ତି ପୃଥୀରାଜ ।