ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନ । ଏହାକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏହି ସମ୍ବିଧାନିକ ଅନୁଷ୍ଠାନ ବିରୋଧୀ ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ କହିଛନ୍ତି ଯେ, କ୍ରମାଗତ ଭାବରେ ନିଜର ଅହଂକାର ଯୋଗୁଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପରାସ୍ତ ହୋଇଛି ହେଲେ କିଛି ଶିଖିପାରିଲା ନାହିଁ । ୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡିଶାବାସୀ ବିଜେଡିକୁ ଜୟଯୁକ୍ତ କରିଛନ୍ତି । ଏପରିକି ୨୦୧୯ ନିର୍ବାଚନରେ ବିଜେପି ଜିଣିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ତାକୁ ପରାଜୟର ରାସ୍ତା ଦେଖାଇଛନ୍ତି ।
ବିଜେପି ସୁପ୍ରିମକୋର୍ଟ, ହାଇକୋର୍ଟ, ଜାତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନକୁ ସମ୍ମାନ ଦେବା ଶିଖୁ । ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜର ମତ ରଖିପାରିବେ । ତାହା ନକରି ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍ ନୁହେଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ସେ ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ । କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ । ଓଡିଶାବାସୀ ଆମ ଭଲ କାମ ପାଇଁ ଆମକୁ ପ୍ରତ୍ୟେକଟି ନିର୍ବାଚନରେ ଆର୍ଶୀବାଦ କରି ଜୟଯୁକ୍ତ କରାଉଛନ୍ତି ଲେନିନ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ