ଭୁବନେଶ୍ବର: କୁପୋଷଣ ଓ ଶିଶୁ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରି କୁପୋଷଣ ଓ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ମୋହନ ।
ମୋହନ କହିଛନ୍ତି କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଜରିଆରେ ତଦନ୍ତ କରଯାଉ । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୋହନ କହିଛନ୍ତି କେନ୍ଦୁଝର ଜିଲ୍ଲାରେ ଯେଉଁ ଭଳି 18 ଦିନରେ 13 ଜଣ ଶିଶୁ ମୃତ୍ୟୁବରଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପୂର୍ବରୁ ଗତ 22.9.2021 ରେ ମୁଁ ଚିଠି ଲେଖିଥିଲି । ଯେଉଁଥିରେ କେନ୍ଦୁଝରରେ ଅନେକ ଶିଶୁ କୁ ପୋଷଣର ଶିକାର ହେଉଥିବା ଦର୍ଶାଇଥିଲି । ଗୋଟେ ବର୍ଷ ହୋଇଗଲା ମାତ୍ର ଜିଲ୍ଲାପାଳ ତାହା ଉପରେ ପଦକ୍ଷେପ ନେଲେ ନାହିଁ । ଯେଉଁଥିପାଇଁ ଏବେ ଶିଶୁ ମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହସ୍ପିଟାଲ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କର ଅଭାବ ରହିଛି । ପିଲା ମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ପାରୁ ନାହିଁ । 18 ତାରିଖରେ ପିଲା ମାନଙ୍କୁ ମେଡ଼ିକାଲ ଆଣିବା ବେଳେ ଡାକ୍ତରଖାନାରେ କେହି ଡାକ୍ତର ନଥିଲେ । ସମସ୍ତେ ଛୁଟି ରେ ଥିଲେ । ଡାକ୍ତର ନଥିବା କାରଣ ରୁ 18 ଦିନରେ 13 ଶିଶୁଙ୍କ ର ମୃତ୍ୟୁବରଣ ହୋଇଛି ।
ଏହା ମଧ୍ୟ ପଢନ୍ତୁ: 18ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ଏହା କେବଳ କେନ୍ଦୁଝର ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ସବୁଠି କୁପୋଷଣର ଚିତ୍ର ଦେଖିବାକୁ ମିଳୁଛି । ରାଜ୍ୟର 5 ହଜାର 525 ଗାଁ ଏବେ ବି ଅପହଞ୍ଚ ରହିଛି । ଯେଉଁଠି ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି। କେନ୍ଦ୍ର ସରକାର ପିଏମ ପୋଷଣ ଯୋଜନାରେ ରାଜ୍ୟକୁ 279 କୋଟି ଟଙ୍କା ଦେଇଛନ୍ତି । 2022-23 ଆର୍ଥିକ ବର୍ଷରେ ଏହି ଯୋଜନାରେ 576 କୋଟି ଟଙ୍କା ମିଳିଛି । ମାତ୍ର ଟଙ୍କା ସଠିକ ଭାବେ ବିନିଯୋଗ କରାଯାଉନି । 8 ହଜାର 583 କୋଟି ଟଙ୍କା ଡିଏମଫଣ୍ଡରେ ରହିଛି । ମାତ୍ର କେନ୍ଦୁଝର ମେଡ଼ିକାଲ ପାଇଁ ତାହା ଖର୍ଚ୍ଚ କରଯାଉନାହିଁ । ସେଥିରେ ଦୁର୍ନୀତି କରାଯାଉଛି ବୋଲି ମୋହନ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମୋହନ ମାଝୀଙ୍କ ଏହି ଅଭିଯୋଗ ନେଇ ସରକାରୀ ଦଳର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର