ଭୁବନେଶ୍ବର: ଆସନ୍ତା 15 ଓ 16 ତାରିଖରେ ବିଜେପିର 36ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପକ୍ରିୟା ଆରମ୍ଭ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ବିଜେପି । ଗଣତାନ୍ତ୍ରିକ ପଦ୍ଧତିରେ ଦଳର ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି, ନିର୍ବାଚିତ ହୋଇଥାନ୍ତି । ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ସମସ୍ତ ଜିଲ୍ଲାକୁ 2 ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପରିଦର୍ଶନରେ ଯିବେ । ନବ ନିଯୁକ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କ ସହ ପରାମର୍ଶ ନେଇ ଜିଲ୍ଲା ନିର୍ବାଚନ କରାଯିବ ।
କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ ରାଜୀବ ପ୍ରତାପ ରୁଡ଼ିଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ବ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ଘୋଷଣା କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ