ଭୁବନେଶ୍ବର : ମଜବୁତ ବିଜୁ ଜନତା ଦଳ । ଦଳକୁ ମଜବୁତ କରିବାରେ ନେତୃତ୍ୱ ନେବେ ବିଜୁ ଯୁବ ଓ ଛାତ୍ର ସଂଗଠନ । ସାମାଜିକ କାର୍ଯ୍ୟ ମାଧ୍ୟମରେ ଦଳକୁ ମଜବୁତ କରିବାକୁ ପରାମର୍ଶ । ବିଜୁ ଯୁବ ଓ ଛାତ୍ର ସଂଗଠନକୁ ଏହି ପରାମର୍ଶ ଦେଇଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।
ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମାଜ ସେବା ଜରିଆରେ ସଂଗଠନ ମଜବୁତ କରିବାକୁ ଦୁଇ ଛାମୁଆ ସଂଗଠନକୁ ପରାମର୍ଶ ଦେଇଛନ୍ତି ପ୍ରଣବ । ପ୍ରଣବ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଞ୍ଚି ସେମାନଙ୍କ ସମସ୍ୟା ସମାଧାନ କରିବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ପ୍ରତ୍ୟେକ ଯୁବ ଓ ଛାତ୍ର ବିଜେଡି ନେତା ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଡ଼ିସେମ୍ବର ୨୬ ତାରିଖ, ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ମାଧ୍ୟମରେ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବ । ଏହାସହ ଏହି ପ୍ରକ୍ରିୟା ବାହୁଡା ଯାତ୍ରାରୁ ଆରମ୍ଭ ହେବ । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି, ଏନ୍.ଏ.ସିର ପ୍ରତ୍ୟେକ ଓ୍ବାର୍ଡରେ ୨୫ଟି ଲେଖାଏଁ ବୃକ୍ଷ ରୋପଣ କରିବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଆହ୍ବାନ ଦେଇଛନ୍ତି ।
ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡଃ ବ୍ୟେମକେଶ ରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ବିଚାରଧାରାକୁ ଅନୁସରଣ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡ଼ିଶାରେ ୨୫୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବ । ଏହା ସହ ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି, ଏନ୍.ଏ.ସିର ପ୍ରତ୍ୟେକ ଓ୍ବାର୍ଡରେ ୨୫ଟି ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ ନିଆଯାଇଛି । ଏହି ସଂକଳ୍ପକୁ ସଫଳ କରିବା ପାଇଁ ସେ ପ୍ରତ୍ୟେକ ଯୁବ ଛାତ୍ର ନେତୃବୃନ୍ଦଙ୍କୁ ଆହ୍ବାନ ଦେଇଛନ୍ତି ।
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଗତବର୍ଷ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୭୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ବୈଠକରେ ବିଜୁ ଯୁବ- ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜୋନ୍ ସଭାପତି, ଜିଲ୍ଲା ସଭାପତି ମାନେ ଯୋଗଦେଇଛନ୍ତି ।
ବୈଠକରେ ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ଲାୟକ, ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାଶ, ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାତି ଅଭିନାଶ ଠାକୁର, ରାଜେଶ ରାଜ ସ୍ବାଇଁ, ମହାସଚିବ ଇପସିତା ସାହୁ ପ୍ରମୁଖ ଯୋଗଦେଇଥିଲେ । ଏନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର