ଭୁବନେଶ୍ବର: ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସର 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଯାହା ବେଶ ସଫଳ ହୋଇଥିବା କଂଗ୍ରେସ ଦାବି କରୁଥିବାବେଳେ ସେପଟେ ବନ୍ଦ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବଡଚଣା ବିଧାୟକ ଅମର ଶତପଥୀ ।
ସେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ବିଭିନ୍ନ ଫୋରମରେ ବିଜୁ ଜନତା ଦଳ ପ୍ରତିବାଦ କରି ଆସୁଛି । ସରକାରରେ ରହି ମଧ୍ୟ ବିଜେଡି ସରକାର ଏହାର ପ୍ରତିବାଦ କରିଆସୁଛି। ଗତ କିଛି ମାସ ହେଲା ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି ।
ଏଭଳିସ୍ଥିତିରେ ସମସ୍ତ ଜିନିଷପତ୍ରର ଦରଦାମ ମଧ୍ୟ ବୃଦ୍ଧି ପାଉଛି । ଗରିବ, ମଧ୍ୟମ ବର୍ଗର ଲୋକ ବେଶି ପ୍ରଭାବିତ ହେଉଛନ୍ତି । ସର୍ବକାଳୀନ ବୃଦ୍ଧି ଯୋଗୁ ପେଟ୍ରୋଲ ଓଡ଼ିଶାରେ ୯୩ ଟଙ୍କାରେ ପହଞ୍ଚି ଥିବାବେଳେ ଡିଜେଲ ୯୦ ଟଙ୍କା ଛୁଇଁଲାଣି । ତେଣୁ କେନ୍ଦ୍ର ସରକାର ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରନ୍ତୁ ବୋଲି ଅମର ଦାବି କରିଛନ୍ତି ।
ସେପଟେ କୋରୋନା କାଳରେ ଲୋକଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ତୈଳଦର ବୃଦ୍ଧି ଓ ଇନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅଧିକ ଆର୍ଥିକ ଚାପ ବଢୁଛି । ଯାହାର ପ୍ରତିବାଦ ସ୍ବରୂପ ସାରା ରାଜ୍ୟରେ ଆଜି କଂଗ୍ରେସ 6 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ