ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବର ସାଂସଦ ଗତକାଲି ଘଟଣା ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଏହା ପରେ ସାଂସଦଙ୍କ ସମର୍ଥନରେ ବାହାରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି (State Bjp President Samir Mahanty) । ଏପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରେସ ରିଲିଜ ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି (Bjd Spokepersone Lenin Mahanty )।
ଲେନିନ କହିଛନ୍ତି ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ବାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥିରୁ ଗୋଟିଏ ଘଟଣା ଗତକାଲି ଘଟିଛି । ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି ।
ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖିଆ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ