ଭୁବନେଶ୍ବର : ୧୨ ଦିନ ପରେ ବି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ରହସ୍ୟ ଖୋଲି ପାରୁନି ପୋଲିସ । ଆଉ ତାଙ୍କୁ ନ୍ୟାୟ ଦେବା ଦାବୀରେ ଏବେବି ଧାରଣାରେ ବସିଛନ୍ତି ରୁଚିକାଙ୍କ ମାଆ । ନବନିର୍ମାଣ କୃଷକ ଛାତ୍ର ସଂଗଠନ ରୁଚିକା ମାଙ୍କ ସହ ଧାରଣାରେ ବସିଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ସମର୍ଥନ କରାଯାଇଛି ।
ସରକାର ବରୋଧୀ ନାରାବାଜିରେ କଂଗ୍ରେସ ଭବନରୁ ଛାତ୍ର କଂଗ୍ରେସର ଶୋଭାଯାତ୍ରା ବାହାରିଥିଲା । ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ରୁଚିକାଙ୍କୁ ନ୍ୟାୟ ଦାବୀ କରି ଧାରଣା ସ୍ଥଳରେ ପହଞ୍ଚିବା ପରେ ଧାରଣା ଦେଇଥିଲେ । ଆଉ ୧୨ ଦିନ ମୃତ୍ୟୁକୁ ବିତି ଯାଇଥିଲେ ବି ପୋଲିସ ହାତ ଏବେବି ଖାଲି ଥିବା ବେଳେ ତଦନ୍ତକୁ ଶିଥିଳ କରିବାକୁ ଉଦ୍ୟମ ହେଉଛି । ସେହିପରି ବଡ ବଡ଼ିଆଙ୍କୁ ଖସେଇଦେବା ପାଇଁ ପୋଲିସ ପ୍ରୟାସ କରୁଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ତେଣୁ ଏ ଦିଗରେ ତଦନ୍ତ ସଠିକ କରାଯାଇ ରୁଚିକାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବୀ କରିଛି ଛାତ୍ର କଂଗ୍ରସ । ନଚେତ ଆଗାମୀ ଦିନରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛି ଛାତ୍ର କଂଗ୍ରେସ ।
ସେପଟେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ରୁଚିକାଙ୍କ ମା । ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯଇ ଡାଟା ରିଟ୍ରିଭ୍ କରାଯିବା ନାଁରେ ଘଟଣାକୁ ଶିଥିଳ କରଯାଉଛି ବୋଲି ଅଭିଯୋଗ କରିଛନ୍ତି । ସେହିପରି ପୋଲିସ କି ସରକାରଙ୍କ ଉପରେ ଭରସା ନଥିବା କହିଛନ୍ତି । ଝିଅକୁ ନ୍ୟାୟ ଦେବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ରୁଚିକାଙ୍କ ମାଆ । ରୁଚିକାକୁ ନ୍ୟାୟ ମିଳିଲେ ଯାଇ ରୁଚିକାଙ୍କ ଭଳି କଲେଜରେ ରାଗିଂର ଶୀକାର ହେଉଥିବା ଝିଅମାନେ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି ରୁଚିକାଙ୍କ ମାଆ ।
ଭୁବନେଶ୍ବର, ଇଟିଭି ଭାରତ