ଭୁବନେଶ୍ବର: ସେ ମୁକ୍ତାକାଶର ବିହଙ୍ଗ । ସେ କେବଳ ରାଜନେତା ନୁହଁନ୍ତି, ରାଷ୍ଟ୍ରନେତା । ସେ ବିଜୁ ବାବୁ, ଓଡିଶାର ଘରେ ଘରେ ସଭିଁଙ୍କ ପ୍ରିୟ ବିଜୁ ବାବୁ ।
ଆଜି ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ତଥା ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ । ବିଜୁ ବାବୁ ଏକାଧାରରେ ଜଣେ ପାଇଲଟ, ରାଜନୈତିଜ୍ଞ, ବ୍ୟବସାୟୀ ଆଦି ଅନେକ ଦକ୍ଷତାର ଅଧିକାରୀ ଥିଲେ । ପ୍ରଥମେ ପାଇଲଟ ଥିବା ବିଜୁ ବାବୁଙ୍କ ଓଡିଶା ପ୍ରୀତି ତାଙ୍କୁ ରାଜ୍ୟ ପାଇଁ କିଛି କରିବାକୁ ଆଗଭର କରିଥିଲା ।
ଯେଉଁପାଇଁ ସେ ପାଇଲଟ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଆଉ ଓଡିଶାକୁ ଦେଇଥିଲେ ଅନେକ ମାନସ ସନ୍ତାନ । ତାଙ୍କ ମାନସ ସନ୍ତାନ ମଧ୍ୟରେ ପାରାଦ୍ବୀପ ବନ୍ଦର, ହୀରାକୁଦ ଡ୍ୟାମ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ଓଟିଏମ୍ ଅନ୍ୟତମ ।
ସେ ଓଡିଶାର ମାତ୍ର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ରାଜ୍ୟର ପ୍ରତି ଘରେ ଘରେ ନିଜର ଛାପ ଛାଡିଯାଇଛନ୍ତି । ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ । ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକାକୁ କେହି କେବେ ଭୁଲିପାରିବେ ନାହିଁ ।
ତେବେ ଆସନ୍ତୁ ନଜର ପକାଇବା ତାଙ୍କ ଜୀବନ ଯାତ୍ରା ଉପରେ...
1916-ମାର୍ଚ୍ଚ 5 ତାରିଖରେ ଜନ୍ମ
1927- ମିଶନ ସ୍କୁଲ ଛାଡି ରେଭେନ୍ସା କଲେଜିଏଟ୍ ସ୍କୁଲରେ ଯୋଗଦାନ
1932-ସାଇକେଲ ଯୋଗେ ପେଶାୱାର ଯାତ୍ରା
1934- ବିଏସସି ପଢା ଛାଡି ପାଇଲଟ୍ ଟ୍ରେନିଂରେ ଯୋଗଦାନ
1938-ଜ୍ଞାନଦେବୀଙ୍କୁ ବିବାହ
1947- କଟକ ସହରରୁ ବିଧାନସଭାକୁ ନିର୍ବାଚିତ
1961- ଜୁନ 23ରେ ପ୍ରଥମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ
1973 -ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ରେ ସମ୍ମାନୀତ
1990-ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ
1997- ଏପ୍ରିଲ 17ରେ ଦେହାନ୍ତ
ସେପଟେ ଏତେ ବଡ ରାଜନେତାଙ୍କ ରାଜନୈତିକ ଜୀବନ ଯାତ୍ରା ବି ବେଶ୍ ରୋଚକ । 1946 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସକ୍ରୀୟ ରାଜନୀତିରେ ପାଦ ଥାପିଥିବା ବିଜୁ ବାବୁ 1969ରେ ହିଁ କଂଗ୍ରେସ ଛାଡି ଦେଇଥିଲେ । ପରେ ନିଜ ଉଦ୍ୟମରେ ଏକ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଗଠନ କରି 1969ରୁ 1977 ମସିହା ପର୍ଯ୍ୟନ୍ତ ଏହାର ନେତୃତ୍ବ ନେଇଥିଲେ ସେ । ପରେ ଜନତା ପାର୍ଟିରେ ସାମିଲ ହୋଇ 1977ରୁ 1989 ପର୍ଯ୍ୟନ୍ତ ସେଥିରେ ରହିଥିଲେ । ପରେ ଜନତା ଦଳରେ 1989ରୁ ଜୀବନର ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ସେ ରହିଥିଲେ ।
ତେବେ ଆଜି ଭୂମିପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ 105ତମ ଜୟନ୍ତୀ ଅବସରରେ ଇଟିଭି ଭାରତ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ