ଭୁବନେଶ୍ବର: ରାଜଧାନୀରେ ବଢୁଛି ଆତଙ୍କ ରାଜ । ରାତି ହେଲେ ସ୍ମାର୍ଟସିଟିରେ ଉତ୍ପାତ କରୁଛନ୍ତି ଅସାମାଜିକ ବ୍ୟକ୍ତି । ବିଚ୍ ରାସ୍ତାରେ ଭୁଜାଲି ବନ୍ଧୁକ ବୁଲାଉଛନ୍ତି ଦୁର୍ବୃତ୍ତ । ନା ପୋଲିସ ପ୍ରତି କାହାର ଭୟ ଅଛି ନା ଅପରାଧି ପ୍ରତି ପୋଲିସର ନଜର ଅଛି । ବିଶେଷକରି ରାଜଧାନୀରେ ଉଗ୍ରରୁପ ନେଉଛି ସଂଘବଧ ଆକ୍ରମଣ । ଜେଲ୍ ଫେରନ୍ତା ଅଭିଯୁକ୍ତ ଅମାନୁଷିକ କାଣ୍ଡ ଭିଆଉଛନ୍ତି । ରାଜଧାନୀରେ ଆତଙ୍କରାଜର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନିଶାରେ ଚୁର୍ କିଛି ଅସାମାଜିକ ଯୁବକ 'ରକ୍ତଚରିତ୍ର' ଗୀତର ତାଳେ ତାଳେ ବନ୍ଧୁକ ଭୁଜାଲି ଧରି ବିଚ୍ ରାସ୍ତାରେ ଉତ୍ପାତ କରୁଛନ୍ତି । ଏହି ଯୁବକଙ୍କ ମଧ୍ୟରେ ସିଆରପି ଛକ ଆକ୍ରମଣ ଘଟଣାର କିଛି ଅଭିଯୁକ୍ତ ରହିଥିବା ଜଣାପଡିଛି । ତେବେ କେବଳ ଏହି ଘଟଣା ନୁହେଁ ବିଗତ ଦିନରେ ଅନେକ ଅପରାଧ ରାଜଧାନୀ ଛାତିକୁ ରକ୍ତାକ୍ତ କରିଛି ।
ସେପଟେ ଦୁର୍ବୃତ୍ତଙ୍କ ପ୍ରତି ପୋଲିସର କୋହଳ ମନୋଭାବ ଦେଖାଯାଉଛି । ଦୁର୍ବୃତ୍ତମାନେ ସର୍ବସାଧାରଣ ସ୍ଥାନରେ ମାରଣାସ୍ତ୍ର ଧରି ଭୟର ବାତାବରଣ ସୃଷ୍ଟି କରୁଥିବାବେଳେ ଚୁପ୍ ବସିଛି ପୋଲିସ । ସେହିପରି କୋହଳ ଦଫା ଯୋଗୁଁ ମଧ୍ୟ ଦୁର୍ବୃତ୍ତ ଆଇନ କବଳରୁ ଖସି ଆସୁଛନ୍ତି । ଯେଉଁ କାରଣରୁ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ବର ।
ବିଗତ ଦିନରେ ସର୍ବସାଧାରଣ ସ୍ଥାନରେ ଘଟିଥିବା କିଛି ଅଭାବନୀୟ କାଣ୍ଡ:
- ଅକ୍ଟୋବର ୨୩ ତାରିଖ । କ୍ୟାପିଟାଲ ଥାନା ୟୁନିଟ ୬ ଅଞ୍ଚଳରେ ସରକାରୀ କ୍ବାର୍ଟର ହଟେଇବାକୁ ନେଇ ଭୟଙ୍କର ଆକ୍ରମଣ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ହାତରେ ଲୁହା ରଡ୍ ଏବଂ ବଲ୍ହା ପଟାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ସରକାରୀ ଜାଗା ଅକ୍ତିଆର କରିବାକୁ ଯାଉଥିବାବେଳେ ଆକ୍ରମଣର ଶିକାର ବ୍ୟକ୍ତି ସିନୁ ସେମାନଙ୍କୁ ବିରୋଧ କରିଥିଲା । ଯାହାଫଳରେ ସର୍ବସାଧାରଣ ସ୍ଥାନରେ ଲୁହାରଡ ଓ ପଟାରେ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ ।
- ଅକ୍ଟୋବର ୨୧ ତାରିଖ ଦିନ ନୟାପଲ୍ଲୀ ଥାନା ଅଞ୍ଚଳ ସିଆରପି ଛକ ନିକଟ ପୂଜା ମଣ୍ଡପରେ ମଣ୍ଡପ ଲୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ୨୫ ରୁ ୩୦ ଜଣ ଯୁବକ ଏହି ପୂଜା ମଣ୍ଡପକୁ ଆସି ବଟି ମାଗିଥିଲେ ଏବଂ ମଣ୍ଡପର କିଛି ଲୋକଙ୍କୁ ହାଣି ଗୁରୁତର କରିଥିଲେ ।
- ଅକ୍ଟୋବର ୧୧ ତାରିଖରେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ ଆଉ ଏକ ସଂଘବଦ୍ଧ ଆକ୍ରମଣ ଘଟଣା ପ୍ରକାଶ ପାଇଥିଲା । ୧୪ ରୁ ୧୫ ଜଣ ଯୁବକ ନୟାପଲ୍ଲୀ ବେହେରା ସାହିର ବୁଲୁ ସାମନ୍ତରାୟଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ ।
- ସେହିପରି ଅକ୍ଟୋବର ୧୦ରେ କ୍ୟାପିଟାଲ ଥାନା ସାମ୍ନାରେ ବଟି ପାଇଁ ଉଠା ଦୋକାନୀଙ୍କୁ ସଙ୍ଘବଧ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଆକ୍ରମଣରେ ଉଠା ଦୋକାନୀ ପି ଲିଙ୍ଗରାଜ ରାଓ ଗୁରୁତର ଆହତ ହୋଇଥିଲେ ।
- ସେପ୍ଟେମ୍ବର ୩୦ ତାରିଖରେ ମଧ୍ୟ ସମାନ ଢଙ୍ଗରେ ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଆକ୍ରମଣ ହୋଇଥିଲା । ସୋସାଇଟ ଭିତରେ ପଶି ବଟି ପାଇଁ ସଂଘବଦ୍ଧ ଆକ୍ରମଣ କରିଥିଲେ ଅଭିଯୁକ୍ତ ।
- ସେପ୍ଟେମ୍ବର ୨୫ ତାରିଖରେ ସ୍ବିଗି ବଏ ସୁପ୍ରଭାତଙ୍କୁ କିଛି ଫାଇନାନ୍ସ କର୍ମଚାରୀ ଆକ୍ରମଣ କରିଥିଲେ । ଭାଇକୁ ରକ୍ଷା କରିବାକୁ ଯାଇ ସୁପ୍ରଭାତଙ୍କ ଭାଇ ସୌମ୍ୟରଞ୍ଜନ ମାନ୍ଧାତା ଆକ୍ରମଣର ଶିକାର ହୋଇଥିଲେ । ଫାଇନାନନ୍ସ କର୍ମଚାରୀଙ୍କ ସହ ସ୍ଥାନୀୟ କିଛି ସହଯୋଗ ଆକ୍ରମଣ କରିଥିଲେ । ଯେଉଁଥିରେ ସୌମ୍ୟରଞ୍ଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ ।
- ରାଜଧାନୀରେ ଧୀରେ ଧୀରେ ଅପରାଧିକ ଘଟଣା ବଢୁଥିବାବେଳେ ଏହାକୁ କିନ୍ତୁ ଗମ୍ଭୀର ଭାବେ ନେଉନାହାନ୍ତି ଡିସିପି କିମ୍ବା ପୋଲିସ କମିଶନର । ଅପରାଧକୁ ହ୍ରାସ କରିବାକୁ କୌଣସି ଷ୍ଟ୍ରାଟେଜି ଆପଣାଉନି ପୋଲିସ । ଅସାମାଜିକ ଲୋକଙ୍କ ପାଇଁ କୁଜି ନେତା ଓ ହାଇପ୍ରୋଫାଇଲ ନେତାଙ୍କ ମସୁଧା ଅପରାଧକୁ ପ୍ରୋତ୍ସାହନ ଦେଉଥିବା ମଧ୍ୟ କୁହାଯାଉଛି । କାରଣ ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଶିଖ୍ ବ୍ୟବସାୟୀଙ୍କ ଉପରେ ପୋଲିସର କୋହଳ ଦଫା ଘଟଣା ଚର୍ଚ୍ଚାକୁ ଆସିଥିଲା । ଏହିସବୁ କାରଣ ଯୋଗୁଁ ରାଜଧାନୀ ଅପରାଧ ପ୍ରବଣ ଅଞ୍ଚଳ ଭାବେ ବର୍ତ୍ତମାନ ଜଣାଯାଉଥିବାବେଳେ ସେପଟେ ଏହାକୁ ନେଇ ଭୟ ଓ ଆତଙ୍କରେ ହନ୍ତସନ୍ତ ହେଉଛନ୍ତି ସହରବାସୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ