ଭୁବନେଶ୍ବର: ରାଜ୍ୟରେ ମୌସୁମୀର ଲୁଚକାଳି ଖେଳ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଗଷ୍ଟ ୧ ତାରିଖରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି । ଦୁର୍ବଳ ମୌସୁମୀ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ ତାରିଖରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୭୨୫ ମିଲିମିଟର ବର୍ଷା ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଏହା ସ୍ବାଭାବିକ ବର୍ଷାଠାରୁ ୩୦ ପ୍ରତିଶତ କମ୍ । ରାଜ୍ୟର ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଯାଜପୁରରେ ୫୫ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ଗଜପତିରେ ୪୪ ପ୍ରତିଶତ ଏବଂ ବଲାଙ୍ଗିର ଜିଲ୍ଲାରେ ୪୩ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ସେପଟେ ଝାରସୁଗୁଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ଠାରୁ ୪୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ପହିଲାରୁ ଏଯାଏଁ ସ୍ବାଭାବିକ ଠାରୁ ୭୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ନିଅଣ୍ଟିଆ ବର୍ଷାରେ ରାଜ୍ୟର କେତେକ ସ୍ଥାନରେ ମରୁଡି ଆଶଙ୍କା ଥିବା ବେଳେ ଆଶା ସଞ୍ଚାର ସୃଷ୍ଟି କରିଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଝାଡଖଣ୍ଡ ଓ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଘୂର୍ଣ୍ଣିବଳୟ ।
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡା, ନୂଆପଡା, କଳାହାଣ୍ଡି, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସେହିଭଳି ଗଞ୍ଜାମ, ଗଜପତି, ରାୟଗଡା, ରାୟଗଡା, କୋରାପୁଟ,ମାଲକାନଗିରି,କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର , ମୟୁରଭଞ୍ଜ, ବରଗଡ଼, ସମ୍ବଲପୁର, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ