ଭୁବନେଶ୍ବର: ଡିସେମ୍ବର ୪ ତାରିଖରେ ବାତ୍ୟା 'ଜୱାଦ' ଓଡ଼ିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅମଳ ହେବା ସମୟରେ ବର୍ଷା ସମ୍ଭାବନାକୁ ନେଇ ଚିନ୍ତାରେ ରହିଛନ୍ତି ରାଜଧାନୀ ନିକଟବର୍ତ୍ତୀ ଚାଷୀ ।
ସମ୍ଭାବ୍ୟ ଲଘୁଚାପଜନିତ ବର୍ଷାକୁ ନଜରରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । କଟା ହୋଇଥିବା ଧାନକୁ ବେଙ୍ଗଳା କରି ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରିବାକୁ କୁହାଯାଇଛି ।
ଧାନଗଛ ପଡ଼ି ଯାଇଥିଲେ ବର୍ଷା ପରେ ହଳ କରି ଠିଆ କରାଇବାକୁ କୁହାଯାଇଛି । ଖାଲି ସେତିକି ନୁହେଁ ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ କୁହାଯାଇଛି । ତାସହିତ କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନକୁ ସାମୟିକ ବନ୍ଦ ରଖିବାକୁ କୁହାଯାଇଛି ।
ବର୍ତ୍ତମାନ ମୂଳା, ବିନ୍ସ , କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ତୋଳି ବିକ୍ରି କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି । ହେଲେ ଏସବୁ ଭିତରେ ଧାନ ସମ୍ପୂର୍ଣ୍ଣ ପାଚିନଥିବାରୁ ମାର୍ଗଦର୍ଶିକା ମାନିବା ସମ୍ଭଵ ନୁହେଁ ବୋଲି କହିଛନ୍ତି ରାଜଧାନୀ ନିକଟବର୍ତ୍ତୀ ଚାଷୀ । ଚଳିତ ବର୍ଷ ଅମଳ ଫିକା ପଡିବା ସହ କ୍ଷତି ସହିବାକୁ ପଡିପାରେ ବୋଲି ଆଶଙ୍କା କରିଛନ୍ତି । ଅତି କମ ସମୟରେ ଧାନକୁ ସୁରକ୍ଷିତ ରଖିବା ସମ୍ଭବ ହୋଇନଥିବାରୁ ବେଶ ଉଦବେଗ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ