ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ବିଏମସି । ଭୁବନେଶ୍ବର ଦୁଇ ନମ୍ବର ମାର୍କେଟ ବିଲ୍ଡିଂଙ୍ଗରେ ଥିବା ସରକାରୀ କ୍ବାର୍ଟର VA- 10/1 ସାମ୍ନାରେ ଜବରଦଖଲ କରାଯାଇଥିବା ଦୋକାନକୁ ବିଏମସି ପକ୍ଷରୁ ଉଚ୍ଛେଦ କରାଯାଇଛି । ଉକ୍ତ ଦୋକାନର ଉଚ୍ଛେଦକୁ ନେଇ ଦୋକାନୀଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିରୋଧ ସତ୍ତ୍ବେ ବିଏମସି ଏନଫୋରସ୍ମେଣ୍ଟ ସ୍କ୍ବାର୍ଡ ଦୋକାନଟିକୁ ଭାଙ୍ଗିଥିଲା ।
ତେବେ ଏନେଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଉକ୍ତ ଦୋକାନୀ । ସେଠାର ଦୀର୍ଘ 20 ବର୍ଷ ହେବ 70 ଦୋକାନୀ ରହିଛନ୍ତି । ବିନା ନୋଟିସ୍ରେ ଦୋକାନ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ଶେଖ ଆସିକ । ଉକ୍ତ ଦୋକାନରୁ ନିଜ ଗୁଜୁରାଣ ମେଣ୍ଟାଉଥିବା ନେଇ ସରକାରଙ୍କୁ ଅନୁରୋଧ କରିଛନ୍ତି ଶେଖ୍ । ଏହାସହ ଦୋକାନ ନଭାଙ୍ଗି ଦୋକାନୀଙ୍କୁ ଥଇଥାନ କରିବାକୁ ମଧ୍ୟ ସେ ସରକାରଙ୍କୁ ଗୁହାରି କରିଛନ୍ତି ।
ସେପଟେ ବିଏମସି ନର୍ଥଜୋନ ଜୋନାଲ ଡେପୁଟି କମିଶନରଙ୍କ ରୂପକ ପଟ୍ଟନାୟକଙ୍କ ସୂଚନା ଅନୁସାରେ, କ୍ବାଟର ହେଉ ବା ରାସ୍ତା ସରକାରୀ ଜମି ଜବରଦଖଲ ହଟେଇବା ପାଇଁ ବିଏମସି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଏହା ଏକ ନିୟମିତ ପ୍ରକ୍ରିୟା । ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିବାରୁ ସେ ସ୍ଥାନରେ କେନ୍ଦ୍ରୀୟ ଟିମ୍ ଜବରଦଖଲ ହଟାଇଛନ୍ତି ବୋଲି ସେ କହିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ