କଟକ: ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ନେଇ ଆଜି ଘଟଣାସ୍ଥଳ ବୁଲାଇଛି ସିବିଆଇ । ଏହି ସମୟରେ ବିବନ 22 ବର୍ଷ ତଳେ ଘଟାଇଯାଇଥିବା ନାରକୀୟ କାଣ୍ଡର ବାବଦରେ ସିବିଆଇ ଅଧିକାରୀଙ୍କୁ ଟିକ୍ ନିଖ୍ ତଥ୍ୟ ପ୍ରଦାନ କରିଛି ।
କେଉଁ ସ୍ଥାନରେ ପୀଡିତାଙ୍କ କାରକୁ ଅଟକା ଗଲା, ସେହି ସମୟରେ କିଏ କିଏ ବିଶେଷ କରି ଅନ୍ୟ ଦୁଇ ଦୋଷୀ ଧିରେନ୍ଦ୍ର ଓ ପ୍ରଦୀପ କେଉଁଠି ଛିଡ଼ା ହୋଇଥିଲେ । କାରକୁ ଅଟକାଇବା ପରେ ପୀଡିତାଙ୍କୁ ବଳପୂର୍ବକ କେଉଁ ସ୍ଥାନକୁ ଅପହରଣ କରାଯାଇ ଏବଂ ଅପହରଣ ପରେ ଘଟିଥିବା ପ୍ରତିଟି କଥାକୁ ବଖାଣିଛି ବିବନ ।
ଏହା ବ୍ୟତିତ ସେହି କୁକର୍ମ କରିବା ପରେ ତିନିଜଣ ଯାକ କେଉଁ ବାଟ ଦେଇ ଖସି ଗଲେ ସେ କଥା ମଧ୍ୟ ବିବନ ସିବିଆଇକୁ କହିଛି । ଆଜି ପ୍ରାୟ ସକାଳ 6 ଟା ବେଳେ ବିବନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଥମେ ବାରଙ୍ଗ ଥାନାକୁ ଅଣାଯାଇଥିଲା । ଏହା ପରେ ତାକୁ ଘଟଣାସ୍ଥଳ ବା ବାରଙ୍ଗର ଜୟପୁର-ଗୋଠପାଟଣା ରାସ୍ତାକୁ ନିଆଯାଇଥିଲା । ଏହି ସ୍ଥାନରେ ପହଞ୍ଚିବା ପରେ ରାସ୍ତା ଠାରୁ ପ୍ରାୟ ଦୁଇ ଶହ ମିଟର ଦୂର ପର୍ଯ୍ୟନ୍ତ ସିବିଆଇ ଟିମକୁ ବାଟ କଢାଇ ନେଇଥିଲା ବିବନ ।
ଏକ ପାଦଚଲାରେ ବିବନକୁ ଧରି ଏକ ବିସ୍ତିର୍ଣ୍ଣ ଖୋଲା ପଡ଼ିଆକୁ ଯାଇଥିଲା ସିବିଆଇ । ସେହି ଠାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ନେଇ ବିବନ ସିବିଆଇକୁ କହିଥିଲା । ତେବେ 22 ବର୍ଷ ପରେ ଘଟଣାସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ବିବନ ସେହି ସ୍ଥାନକୁ ଆଜି ପର୍ଯ୍ୟନ୍ତ ଭୁଲି ନଥିବା ଜଣାପଡିଥିଲା । ‘ନିଜ ଗାଁ ଠାରୁ ଘଟଣାସ୍ଥଳ ମାତ୍ର 4 କିଲୋମିଟର ଦୂର ହୋଇଥିବାରୁ ବିବନ ସେହି ଅଞ୍ଚଳ ବାବଦରେ ବେଶ ଭଲ ଭାବେ ଅବଗତ ଅଛି । ଯେଉଁ ଚର୍ଚ୍ଚିତ ଘଟଣା ପାଇଁ ସେ 22 ବର୍ଷ କାଳ ଆତ୍ମଗୋପନ କରିଥିଲା ସେହି ସ୍ଥାନକୁ ବିବନ କିପରି ଭୁଲିପାରିବ’ ବୋଲି ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ସେପଟେ ଦୁଇ ଦିନିଆ ସିବିଆଇ ରିମାଣ୍ଡର ଆଜି ଦ୍ବିତୀୟ ଦିନ ଥିବା ବେଳେ ଏହି ସମୟ ମଧ୍ୟରେ ତା ଠାରୁ ଯଥା ସମ୍ଭବ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛି ସିବିଆଇ । ତେବେ ବିବନକୁ ଘଟଣାସ୍ଥଳକୁ ଆଣାଯାଉଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରାୟ 7 ଟା 45 ମିନିଟରେ ସିବିଆଇ ଟିମ ବିବନକୁ ନିଜ ସାଥିରେ ନେଇ ଭୁବନେଶ୍ବର ଚାଲିଯାଇଥିଲା । ତେବେ ଆଜିର ଏହି ସିନ୍ ରିକ୍ରିଏସନ୍କୁ ସିବିଆଇ ଓ ପୋଲିସ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଇଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବନ ପାଖକୁ ଯିବାକୁ ଦିଆଯାଇନଥିଲା । ତେବେ 22 ବର୍ଷ ପରେ ବିବନ ନିଜ ଗାଁ ମାଟିକୁ ଫେରିଥିଲେ ମଧ୍ୟ ଏବାବଦରେ ଗାଁ ଲୋକ ଜାଣିବା ଆଗରୁ ବିବନ ବାରଙ୍ଗ ଛାଡ଼ି ସାରିଥିଲା । ସିନ ରିକ୍ରିଏସନ ପରେ ବିବନକୁ ସିବିଆଇ ଅଫିସକୁ ନିଆଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ