ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଦ୍ଵିତୀୟ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ଗାଇଡ଼ ଲାଇନ ଅନୁସାରେ ରାଜ୍ୟ ସରକାର ମାନେ କିଛି କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି । ତେବେ ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟରେ ଯାତାୟାତ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଟୋ ଚାଳକମାନେ।
କୋରୋନା ସଂକ୍ରମଣ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ରାଜ୍ୟରେ ପାଖାପାଖି ମାସେ ହେବ ସବୁକିଛି ଠପ ହୋଇଯାଇଛି । ତେବେ ଦୈନିକ ରୋଜଗାର କରିବା ସହ ନିଜ ସଂସାର ଚଳାଉଥିବା ରାଜ୍ୟର ପ୍ରାୟ ଲକ୍ଷାଧିକ ଅଟୋଚାଳକ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଅଧିକାଂଶ ଚାଳକଙ୍କ ନିକଟରେ ରାସନ କାର୍ଡ କିମ୍ବା ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ନଥିବାରୁ ତାଙ୍କୁ କୌଣସି ସୁବିଧା ମଧ୍ୟ ମିଳୁ ନାହିଁ । ଫଳରେ ସେମାନଙ୍କ ପରିବାର ଭୋକ ଉପାସରେ ଜୀବନ କାଟୁଥିବା କହିଛନ୍ତି ଓଡିଶା ଅଟୋ ଚାଳକ ମହାସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ ।
ତେଣୁ ସେମାନେ ସରକାରଙ୍କ ନିକଟରେ ଏହି ଚାଳକ ମାନଙ୍କୁ ସହାୟତା ପାଇଁ ବ୍ୟାକୁଳ ନିବେଦନ କରିଛନ୍ତି । ବିଭିନ୍ନ ରାଜ୍ୟ ମାନଙ୍କରେ ଦିଆଯାଉଥିବା ପ୍ୟାକେଜ ଭଳି ରାଜ୍ୟରେ ଅଟୋ ଚାଳକ ମାନଙ୍କୁ ମାସକୁ 5 ହଜାର ଟଙ୍କା ନଚେତ ମାସିକ ରାସନ ପାଣିର ବ୍ୟବସ୍ଥା କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ