ଭୁବନେଶ୍ବର: ଆଶା କର୍ମୀଙ୍କୁ ମିଳିବ ସରକାରୀ ସହାୟତା । ପ୍ରତ୍ୟେକ ଆଶା ଦିଦିଙ୍କୁ ଦିଆଯିବ 10 ହଜାର ଲେଖାଏଁ ଦିଆଯିବ ସହାୟତା। ପ୍ରଭାବୀ କୋରୋନା ପରିଚାଳନା ଏବଂ ଅଣ-କୋଭିଡ୍ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ଆଶାକର୍ମୀଙ୍କୁ ଏହି ସହାୟତା ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି ।
ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବସ୍ତିରେ ସେବା ଯୋଗାଉ ଥିବା ଆଶାକର୍ମୀଙ୍କୁ ସହାୟତା ଦେବେ ରାଜ୍ୟ ସରକାର । ଏ ନେଇ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି । ଆଶା କର୍ମୀଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ପ୍ରତ୍ୟେକ ଆଶାକର୍ମୀଙ୍କୁ ଗୋଟିଏ ଥର ପାଇଁ ୧୦ ହଜାର ଟଙ୍କା ସ୍ବାସ୍ଥ୍ୟ ସହାୟ ମିଳିବ । ଉତ୍ତମ କୋରୋନା ପରିଚାଳନା ସହ ଅଣ-କୋଭିଡ୍ ଚିକିତ୍ସା ସେବା ଲାଗି ଏହି ଟଙ୍କା ପ୍ରଦାନ କରାଯିବ ।
ଆଶାକର୍ମୀ ଏହି ଅର୍ଥକୁ ସାଇକେଲ୍ କିଣିବା ସହ ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ କିଣିବେ । ଏହା ସହ ମାସ୍କ, ସାନିଟାଇଜର, ସାବୁନ୍, ଗ୍ଲୋଭସ୍, ଫେସ୍ ସିଲ୍ଡ, ଥର୍ମାଲ୍ ସ୍କାନର, ହେଲମେଟ୍ ଓ କ୍ଷୁଦ୍ର ବ୍ୟାଟେରୀ ଚାଳିତ ମାଇକ ମଧ୍ୟ କିଣିବେ ।
ଭୁବନେଶ୍ବର ଭବାନୀଶଙ୍କର ଦାସ,ଇଟିଭି ଭାରତ