ଭୁବନେଶ୍ବର: ମହାମାରୀ କୋରୋନା କାଳରେ ଅନେକ ଦୁଃଖ କଷ୍ଟ ଭିତରେ ବୁଡି ଯାଇଛନ୍ତି ବସ ଡ୍ରାଇଭର, ହେଲ୍ପଅର୍ ଓ କର୍ମଚାରୀ । ସୋମବାର ସୋସିଆଲ ମିଡ଼ିଆରେ ଆସି ଗୋଟିଏ ଭିଡିଓ ପହଞ୍ଚିଥିବା ଓଲିଉଡ ଅଭିନେତା ସବ୍ୟସାଚୀଙ୍କ ପାଖରେ । ସେଥିରେ କିଛି ବସ୍ ଚାଳକ, କଣ୍ଡକ୍ଟର ଓ ହେଲ୍ସର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଗାଡ଼ି ଆଗରେ ଛିଡ଼ା ହୋଇ ସହାୟତା ନିବେଦନ କରୁଥିଲେ ।
ରାଜ୍ୟରେ ୧୨ ହଜାର ଗାଡ଼ି ଚାଲୁଥିଲା ବେଳେ ଲକ୍ଡାଉନ ଯୋଗୁ ସବୁ ବନ୍ଦ । ଏହାକୁ ନେଇ ଅନେକ କମର୍ଚାରୀ ଗାଁକୁ ପଳାଇଛନ୍ତି । ବସ କର୍ମଚାରୀଙ୍କ ୧୦୦-୧୫୦ ପରିବାର ପିଲାଛୁଆ ଧରି ଘରଭଡ଼ା ନେଇ ଏଠି ପଡ଼ିଛନ୍ତି । ଚୁଲି ଜଳିବାକୁ ପାଖରେ ଟଙ୍କାଟିଏ ନାହିଁ । ମାଲିକମାନେ ପ୍ରଥମେ କିଛି କିଛି ସାହାଯ୍ୟ କଲେ । ଏବେ ସେମାନଙ୍କ ଅବସ୍ଥା ବି ଖରାପ ।
ଏହି ଭିଡିଓଟି ପାଇବା ପରେ ସବ୍ୟସାଚୀ ସଙ୍ଗେ ସଙ୍ଗେ ଉଦ୍ୟମ ଆରମ୍ଭ କରିଥିଲେ । ମଙ୍ଗଳବାର ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚାଳକ ଓ କର୍ମଚାରୀଙ୍କ ପାଖରେ ଶୁଖିଲା ରାସନ ସାମଗ୍ରୀ ଓ କଞ୍ଚା ପରିବା ପହଞ୍ଚାଇଛନ୍ତି । ସୌଭାଗ୍ୟକୁ ଅର୍ଚ୍ଚିତାଙ୍କ ଜନ୍ମଦିନ ଥିବାରୁ ଉଭୟେ ସବ୍ୟସାଚୀ ଓ ଅର୍ଚ୍ଚିତା ସେମାନଙ୍କ ପାଖକୁ ଯାଇ ସୁଖଦୁଃଖ ବୁଝିବା ସହ ଏହିସବୁ ଜିନିଷ ଦେଇଥିଲେ । ତେଣୁ ଏହି ଦିନକୁ ଆଉ ଟିକେ ସ୍ମରଣୀୟ କରିବାକୁ ଯାଇ ଦୁହେଁ ବସ୍ ଚାଳକ ଓ ସେମାନଙ୍କ ପରିବାର ଲୋକଙ୍କ ସହ ଖୁସି ବାଣ୍ଟିବା ଲାଗି ସାମିଲ ହୋଇଥିଲେ । ରାଜଧାନୀ ପରିବହନ କର୍ମଚାରୀ ସଂଘର ପତ୍ୟେକ ସଦସ୍ୟ ଓ ସଂଘର ସଭାପତି ନବକିଶୋର ମହାନ୍ତି ଉପସ୍ଥିତ ଥିବା ସହିତ ସବ୍ୟସାଚୀ, ଅର୍ଚ୍ଚିତା ଓ ସ୍ମାଇଲ ପ୍ଲିଜର ସ୍ବେଚ୍ଛାସେବୀ ପ୍ରବୀଣ ଅଗ୍ରୱାଲ ଓ କିଶୋର ୱାଦର୍, ପ୍ରଶାନ୍ତ ଓ ଅନ୍ୟ ସଦସ୍ଯ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ