ଭୁବନେଶ୍ବର: ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ ଲଗାତାର ଏହି ମାମଲାରେ ପୋଲିସର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ କରିଛି । ଏହି କ୍ରମରେ ବିଜେପି ମଧ୍ୟ କଂଗ୍ରେସ କଥାରେ କଥା ମିଶାଇଛି । ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା କରିବାକୁ ଦାବି ହୋଇଛି । ତା ସହିତ ଅର୍ଚ୍ଚନା ସ୍କାଣ୍ଡାଲ୍ ତଦନ୍ତ ନେଇ ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ଡିଜିଙ୍କୁ ଘେରିଲା ଯୁବ କଂଗ୍ରେସ
ଅର୍ଚ୍ଚନା କେଳେଙ୍କାରୀରେ ପୋଲିସର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ଏହାକୁ ନେଇ ମଙ୍ଗଳବାର ରାଜଧାନୀସ୍ଥିତ ପୋଲିସ ସେବା ଭବନର ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ ଯୁବ କଂଗ୍ରେସ କର୍ମୀ । ଅର୍ଚ୍ଚନା ସହ ସମ୍ପର୍କରେ ଥିବା ପ୍ରତ୍ୟେକ ନେତାଙ୍କ ନାମ ତାଲିକାଭୁକ୍ତ କରିବାକୁ ଦାବି ହୋଇଛି । ନେତାଙ୍କ ତାଲିକା ପ୍ରସ୍ତୁତ ନହେଲେ ଆଗକୁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବାକୁ ଧମକ ଦେଇଛି ଯୁବ କଂଗ୍ରେସ ।
ଏନେଇ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା କହିଛନ୍ତି ଯେ, ''ଏ କେଳେଙ୍କାରୀ କେବଳ ଅର୍ଚ୍ଚନା ନାଗ ମଧ୍ୟରେ ସୀମିତ ନାହିଁ । ଏହାର ଚେର ଥାର୍ଡ ଫ୍ଲୋର ପର୍ଯ୍ୟନ୍ତ ଲମ୍ବିଛି । ପୋଲିସ ପ୍ରଶାସନିକ ଅଧିକାରୀ, ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି । ଯଦି ତଦନ୍ତ କରୁଥିବା ପୋଲିସ ପ୍ରଶାସନ ବିଜୁ ଜନତା ଦଳର ଚାପରେ ରହିବେ ତେବେ ନିଶ୍ଚିତ ରୂପେ ତଦନ୍ତ ନିରପେକ୍ଷ ହୋଇପାରିବ ନାହିଁ । ଆଜି ଆମେ ଅନୁଭବ କଲୁ କେଉଁଠି ନା କେଉଁଠି ପୋଲିସ ପ୍ରଶାସନ ଉପରେ ବିଜୁ ଜନତା ଦଳର ଦବ୍ଦବା ଅଛି (BJD pressurized in Archana Nag investigation)। କାରଣ ଏହି କେଳେଙ୍କାରୀରେ ପ୍ରଶାସନିକ ଅଧିକାରୀ ଓ ବିଜୁ ଜନତା ଦଳର ସମ୍ପୂର୍ଣ୍ଣ ସମ୍ପୃକ୍ତି ରହିଛି ।''
CBI ତଦନ୍ତ ଦାବି ଦୋହରାଇଲା ବିଜେପି
ଏହି ଘଟଣାରେ ପାୱାର କରିଡର ସମ୍ପୃକ୍ତି ଥିବାରୁ ତଦନ୍ତ ଶିଥିଳ ପଡ଼ିଥିବା ଅଭିଯୋଗ କରିଛି । ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି(BJP reaction on Archana Nag investigation) । ବିଜେଡିର ବଡ଼ବଡ଼ ନେତା ଓ ମନ୍ତ୍ରୀ ଅର୍ଚ୍ଚନା ନାଗ ସ୍କାଣ୍ଡାଲ୍ରେ ସାମିଲ ଥିବାରୁ ତଦନ୍ତକୁ ଜାଣିଶୁଣି ପୋଲିସ ଆଗକୁ ବଢାଉନଥିବା ଅଭିଯୋଗ ଆଣିଛି ବିଜେପି ।
ଏହାକୁ ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଗୋଟିଏ କୌଣସି ବଡ଼ ଘଟଣା ଘଟିଲେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରେ । କିନ୍ତୁ ଅର୍ଚ୍ଚନା ନାଗ ବିଷୟକୁ ନେଇ ପୋଲିସ ନିରବ । ବାରମ୍ବାର ଗଣମାଧ୍ୟମରେ ଅର୍ଚ୍ଚନାକୁ ନେଇ ଆଲୋଚନା ହେବାପରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିନାହିଁ । ସେକ୍ସ ରାକେଟ୍ ଚାଲିଥିଲା, ବ୍ଲାକମେଲିଂ ହେଉଥିଲା, ଡ୍ରଗ୍ସ୍ କାରବାର ହେଉଥିଲା । ଲାଞ୍ଜିଗଡ଼ରୁ ଝିଅଟିଏ ଆସି ରାଜଧାନୀରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଭଳି ଠିଆ କଲା ତାହାର କୌଣସି ତଦନ୍ତ ହେଉନାହିଁ । "
ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ପାପ କଲେ ଫଳ ପାଇବ । ତଦନ୍ତକୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜୁ ଜନତା ଦଳ । ଅର୍ଥ ହେରଫେର୍ କଥା ଆସୁଛି ତେଣୁ ସରକାର ଇଡିକୁ ମାମଲା ହସ୍ତାନ୍ତର କରନ୍ତୁ । ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ CBIକୁ ତଦନ୍ତ ଦାୟିତ୍ବ ଦିଆଯାଉ । ରାଜ୍ୟ ସରକାରଙ୍କ ମୁଖା ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ କାହିଁକି ଘଣ୍ଟ ଘୋଡାଇ କାହିଁକି ରଖାଯାଉଛି ?"
ସନ୍ଦେହରେ ପୋଲିସର ତଦନ୍ତ ପ୍ରକ୍ରିୟା
ଅର୍ଚ୍ଚନା ଲିଙ୍କରେ ଅଛନ୍ତି ଉଭୟ ବିରୋଧି ଓ ଶାସକ ଦଳର ନେତା । ଏବେ ବଡ ପ୍ରଶ୍ନ , ପାଓ୍ବାରକରିଡରର କାହା ଇସାରରେ ଚାପି ହୋଇଛି ତଦନ୍ତ । ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହୋଇଥିବା ରାଜନେତାଙ୍କୁ ନେଇ କେବେ ତଦନ୍ତ ଆରମ୍ଭ ହେବ । ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ ପ୍ରକ୍ରିୟାରେ ପ୍ରଭାବିତ କରୁନାହାନ୍ତି ତ ? କୁଆଡେ ଗଲା ଅର୍ଚ୍ଚନା ଇ-ମେଲ୍ରୁ ବଡବଡ଼ିଆଙ୍କ ନାମ ? ବିଧାୟକଙ୍କ ନାଁ ଚାପିବାକୁ କିଏ ପକାଇଛି ଚାପ ?
ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ କିନ୍ତୁ ଅର୍ଚ୍ଚନାକୁ ଗିରଫ କରି କାମ ସାରିଦେଇଛି । କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି କହୁଛନ୍ତି ବିରୋଧୀ । ତାପରେ ତଦନ୍ତ ବାଟବଣା କରୁଥିବା ପୋଲିସ ଆଗକୁ ଆଉ କେଉଁ ଖିଅ ଖୋଜି ବାହାର କରୁଛି । ନା ପୂର୍ବ ମାମଲା ପରି ଏହି ମାମଲାକୁ ବି ରଫା ଦଫା କରିଦେଉଛି ତାହାରି ଉପରେ ରହିଛି ନଜର ।
ଇଟିଭି ଭାରତ, ଭୁବନେଶ୍ବର