ଭୁବନେଶ୍ବର: ମୋ ସ୍କୁଲ ଅଭିଯାନର 27 ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭିସି ଯୋଗେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର 23ଟି ଜିଲ୍ଲାର ମୋଟ 95କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ଏକ ମାସ ମଧ୍ୟରେ 23 ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଛନ୍ତି।ବାଲେଶ୍ବର ଜିଲ୍ଲାରେ ସର୍ବାଧିକ 1.75 କୋଟି, କଟକରେ 35 ଲକ୍ଷ 74 ହଜାର, ବରଗଡ଼ରେ 21 ଲକ୍ଷ 45 ହଜାର, ଯାଜପୁରରେ 16 ଲକ୍ଷ 17 ହଜାର ଏବଂ ଢେଙ୍କାନାଳରେ 16 ଲକ୍ଷ 77 ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ 20 କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ 94 କୋଟି 70 ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ବର ଜିଲ୍ଲାରେ ଲଗାତାର 7ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ମୋ ସ୍କୁଲ୍ ଅଭିଯାନ'କୁ ବିପୁଳ ସମର୍ଥନ ମିଳିଥିବା ବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 48 ହଜାର ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ୍ ଅଭିଯାନ'ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ 35 ହଜାରରୁ ଉର୍ଦ୍ଧ୍ବ ସ୍କୁଲ୍ 'ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ଆଗେଇ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ଏସ୍ଏମ୍ଏସ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି।
ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ 5ଟି ହାଇସ୍କୁଲ ଟ୍ରାନ୍ସଫରମେଶନ କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ 'ମୋ ସ୍କୁଲ' ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ଵତନ୍ତ୍ର ଏକାଡେମିକ କମିଟି ଗଠନ କରାଯାଇଛି । ଆଗାମୀଦିନରେ ଏହି କମିଟି ସ୍କୁଲର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଦିଗରେ ପରାମର୍ଶ ଦେବ । 5ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ କମିଟିର ପରାମର୍ଶ ଅନୁଯାୟୀ ପିଲାଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦିଆଯିବ। ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା 27 ତାରିଖରୁ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ବାରତ