ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଗତକାଲି(ସୋମବାର) କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ଯୋଗୁଁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଅକ୍ଟୋବର 24 ତାରିଖ ଯାଏଁ ରାଜ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏଁ ବ୍ୟାପିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଏବଂ ପରେ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କିରଛି ପାଣିପାଗ ବିଭାଗ। ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେହିଭଳି ଅକ୍ଟୋବର ୨୨ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ସମେତ ଦକ୍ଷିଣ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର 24 ତାରିଖରୁ ବର୍ଷା କମି ଯିବାନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସମୁଦ୍ର ଅଶାନ୍ତ ଥିବାରୁ ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଛି।
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ରେକର୍ଡ ବର୍ଷା ହୋଇଛି। ଶ୍ୟାମପାଟଣା ରେ ସର୍ବାଧିକ ୬୫.୪ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଆଗଲପୁର ରେ ୩୬.୦ ମିମି,ନାକଟି ଦେଉଳରେ ୩୧.୦ମିମି,ଠାକୁରମୁଣ୍ଡରେ ୨୭.୦ ମିମି,ମାଲକାନଗିରି ଜିଲ୍ଲା ପଡ଼ିଆରେ ୨୬.୧ମିମି ବର୍ଷା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ