ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଭିଜାଇବ ସାରା ଓଡିଶା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଚଳିତ ମାସ ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳ ଅଞ୍ଚଳରେ ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ,୧୦ ତାରିଖ ,ଗୁରୁବାର ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ବର,ଭଦ୍ରକ,କଟକ,ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡା, ଗଜପତି, ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ଼, ସମ୍ବଲପୁର,ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି ରେ ସର୍ବାଧିକ ୫୮.୦ ମିମି ବର୍ଷା ରେକର୍ଡ କରାଯାଇଛି।କେନ୍ଦୁଝର ଚମ୍ପୁଆ ରେ ୫୬.୨ମିମି,ଝାରସୁଗୁଡା ଦେଓଗାଁ ରେ ୫୧.୦ମିମି,ନବରଙ୍ଗପୁର କୋଷାଗୁମୁଡା ରେ ୪୮.୮ମିମି,କଟକ ୪୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡି ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୩୭.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଜୁନ ୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ୧୦୨୯.୨ ମିମି ବର୍ଷା ରେକର୍ଡ କରାଯାଇଛି ,ଯାହା ସ୍ବାଭାବିକ ଠାରୁ ୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସେପ୍ଟେମ୍ବର ୧୩ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ