ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରି ନେତା ବାଛୁଛନ୍ତି ଭୋଟର । ଏହି ମହାପର୍ବ ବେଳେ ଭୋଟ ଦେବା ସମୟରେ ଅନେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କେଉଁଠି ନିରିହ ଜନତା ମାଡ଼ ଖାଉଛନ୍ତି ତ କେଉଁଠି ସାମ୍ବାଦିକଟିଏ ଖବର ସଂଗ୍ରହ ସମୟରେ ମାଡ଼ ଖାଉଛି । ଏହି ରାଜନୈତିକ ହିଂସାକୁ ଦୂର କରିବାକୁ ନେଇ ରିଲିଜ ହେଲା ଓଡ଼ିଆ ଗୀତ "ହିଂସା"।
ବିଭିନ୍ନ ସ୍ଥାନରେ ନେତା ଓ କର୍ମୀଙ୍କ ଭିତରେ ପତିଆରା ବିସ୍ତାରକ ନେଇ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ କାହାର ଜୀବନ ବି ଚାଲିଯାଉଛି । ହିଂସା ନୁହେଁ ସମ୍ପକର ସୁତା ବାନ୍ଧନ୍ତୁ ଆଉ ହିଂସାପଥ ଛାଡ଼ି ପୁଣି ଭାଇଚାରାର ବାର୍ତ୍ତା ଦେବା ଲକ୍ଷ୍ୟରେ ରିଲିଜ ହୋଇଛି ଓଡ଼ିଆ ଗୀତ ହିଂସା । ଗୀତଟିକୁ ଜଣାଶୁଣା ଗୀତିକାର ପ୍ରେମାନନ୍ଦ ଲେଖିଛନ୍ତି ।
ଏଗି ଗୀତରେ କଣ୍ଠଦାନ କରିଛନ୍ତି ସତ୍ଯଜିତ । ଦିନକୁ ଦିନ ଯେଉଁଭଳି ଭାବେ ହିଂସା ବଢିବା ସହ ଲୋକମାନେ ମାନବିକତା ଭୁଲି ହିଂସ୍ର ହେଉଛନ୍ତି ସେ ଗୁଡିକ କିଭଳି କମିବ ଓ ପୁଣିଥରେ ସ୍ୱାଭାବିକ ପରିବେଶ ଫେରିବ ତାହାହିଁ ଶବ୍ଦ ମାଧ୍ୟମରେ ଏହି ଗୀତରେ ସଜା ଯାଇଛି । ନାଚଗୀତ ନାହିଁ କି ମନୋରଞ୍ଜନ ନାହିଁ ତେଣୁ ହିଂସା ବଢୁଛି । ଗୀତଟି ସମସ୍ତଙ୍କୁ ଭଲ ଲାଗିବା ସହ ଗୀତର ବୋଧକୁ ନେଇ ହିଂସା କମିବ ବୋଲି ଆଶା ରଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ