ଭୁବନେଶ୍ବର: ଶିକ୍ଷିତ ସମାଜ ଗଠନ କରିବା ପାଇଁ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ପ୍ରୟାସ। ସମସ୍ତ ବର୍ଗର ପିଲାଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ବର୍ଷା ଆରମ୍ଭ କଲେ 'ଆମ ପାଠାଗାର' କାର୍ଯ୍ୟକ୍ରମ । ରାଜ୍ୟର ପ୍ରତି ଜିଲ୍ଲାରେ ପାଠାଗାର ଗଢି ତୋଳିବା ନେଇ ଏହି କାର୍ଯ୍ୟକ୍ରମର ଆଜି(ବୁଧବାର) ଶୁଭାରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ଘରୋଇ ହୋଟେଲରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଜୀବନରେ ଶିକ୍ଷାର ମହତ୍ତ୍ବ ରହିଛି । ଜଣେ ଶିକ୍ଷିତ ଦେଶ ଓ ଜାତିର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିପାରିବ। ଛାତ୍ରଛାତ୍ରୀ କିଭଳି ବହି ପଢ଼ିବା ପାଇଁ ଅଭାବ ବୋଧ କରିବେନି। ଏଥିପାଇଁ ପାଠାଗାର ଆରମ୍ଭ କରଯାଇଥିବା କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ରାଜ୍ୟରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିଜ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ବର୍ଷା।
ଆମ ପାଠଗାରର କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ଉଦଘାଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଏକ ସାମାଜିକ ଆନ୍ଦୋଳନ ବୋଲି ସେ କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ସମାଜରେ ବିରାଟ ପରିବର୍ତ୍ତନ ଆଣିବ । ଆଜିର ଉତ୍ସବରେ ଲକଡାଉନ ସମୟରେ ପିଲାମାନଙ୍କୁ ଗାଁକୁ ଗାଁ ବୁଲି ପାଠ ପଢ଼ାଉଥିବା ବଲାଙ୍ଗୀରର ଝିଅ ଦିଲେଶ୍ବରୀ ଧରୁଆଙ୍କୁ ସମ୍ମାନିତ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ପକ୍ଷୀଘର ପ୍ରକାଶନର ମୁଖ୍ୟ ବନୋଜ ତ୍ରିପାଠୀ ଓ ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ବର୍ଷାଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂଶା କରିବା ସହ ଏହି ଆନ୍ଦୋଳନରେ ସମସ୍ତେ ଯୋଡି ହେବାକୁ ନିବେଦନ କରିଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ