ଭୁବନେଶ୍ବର: ରାଜଧାନୀସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ୱେବସାଇଟ ଉନ୍ମୋଚନ ହୋଇଛି । ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଏହି ଓ୍ବେବସାଇଟକୁ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।
ଏହି ଅବସରରେ ପୁରାତନ ଛାତ୍ରସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ସଂଘର ଇକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଛନ୍ତି । ବିଶ୍ୱବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବା ଅଭିଯାନର ସଫଳତା ସମେତ ବିଶ୍ବବିଦ୍ୟାଳୟର ବିକାଶରେ ଏହି ଓ୍ବେବସାଇଟ ସହାୟକ ହେବେ ବୋଲି ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଛାତ୍ରସଙ୍ଘ ସଭାପତି ବିଶ୍ୱବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଗୁରୁତ୍ବାରୋପ ଏବଂ ଛାତ୍ରମାନଙ୍କର କର୍ମନିଯୁକ୍ତି ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର ବୋଲି ମନ୍ତବ୍ୟ ରଖିଛନ୍ତି ।
ସେହିପରି ପୁରାତର ଛାତ୍ରସଙ୍ଘର ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ବିଶ୍ବ ବିଦ୍ୟାଳୟର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସମ୍ପୃକ୍ତି କାମନା କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ବବିତା ଆଚାର୍ଯ୍ୟ ପୁରାତନ ଛାତ୍ରଛାତ୍ରୀମାନଙ୍କର ସକ୍ରିୟ ସହଯୋଗ ବିଶେଷ ଫଳପ୍ରଦ ହେବ ବୋଲି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ