ଭୁବନେଶ୍ବର: ଆସନ୍ତା 17 ତାରିଖରେ ବସିବ ସର୍ବଦଳୀୟ ବୈଠକ । ସକାଳ 11.30ରେ ଏହି ବୈଠକ ବସିବ । ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୈଠକରେ ଆଗାମୀ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହେବ ।
ବୈଠକରେ କେମିତି ଗୃହ ଶାନ୍ତିର ସହ ଚାଲିବ, ସେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି । ସେହିପରି କୋଭିଡ୍ କମିଛି। ହେଲେ କଟକଣା ରାଜ୍ୟ ଓ କେନ୍ଦ୍ର ସରକାର ରଖିଛନ୍ତି। ସଂସଦରେ କୋଭିଡ୍ ପରୀକ୍ଷା ହେଉଛି। 15ରୁ 17 ଯାଏ କୋଭିଡ୍ ପରୀକ୍ଷା ହେବ। ଯେଉଁମାନେ ବିଧାନସଭା ଆସିବାର ଅଛି, ସେମାନଙ୍କ ପରୀକ୍ଷା କରାଯିବ। ଗତଥର ଯେଉଁ ବ୍ୟବସ୍ଥା ହୋଇଥିଲା, ସେହିପରି ସାମାଜିକ ଦୂରତା ଭିତରେ ଆମେ ବସିବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ବାଚସ୍ପତି ।
ଏହି ବୈଠକରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ମୁଖ୍ୟସଚେତକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଥାଉକି, ଫେବୃଆରୀ 18 ତାରିଖରେ ବସିବାକୁ ଯାଉଛି ରାଜ୍ୟ ବଜେଟ ଅଧିବେଶନ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ