ଭୁବନେଶ୍ବର: ଗୁରୁବାର ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ। ସମସ୍ତ ସ୍ୱୀକୃତି ପ୍ରାପ୍ତ ଦଳପ୍ରତିନିଧି ମାନଙ୍କ ସହ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ଶିବନନ୍ଦ ରାୟ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦୁଷ୍ମନ୍ତ ଦାସ,ବିଜେପିର ଜଗନ୍ନାଥ ପ୍ରଧାନ, ବିଜେଡିର ମାନସ ମଙ୍ଗରାଜ ବୈଠକରେ ସାମିଲ।
ନିର୍ବାଚନ ସମୟରେ ସମସ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ।ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ ଜୀବନ ନେଇ ଆକ୍ଷେପ କରିବା ଉପରେ ନିଷେଧ କରାଯାଇଛି। ପ୍ରଚାର ସମୟରେ ଦଳର ପୂର୍ବର କାର୍ଯ୍ୟକଳାପ ଓ ଚାଲୁଥିବା ନିଷ୍ପତ୍ତି ଏବଂ କାର୍ଯ୍ୟକଳାପ କୁ ସମାଲୋଚନା କରାଯାଇପାରେ। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଯଦି, କୌଣସି ରାଜନୈତିକ ଦଳ ନିର୍ବାଚନରେ ପ୍ରାର୍ଥୀ କରାନ୍ତି ,ତାହେଲେ ସମ୍ପୃକ୍ତ ଦଳକୁ କୈଫୟତ ଦେବାକୁ ପଡିବ ଓ ଜନସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ପ୍ରାର୍ଥୀ ଅତିକମରେ ତିନି ଥର ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବା ବାଧ୍ୟତାମୂଳକ।
ଚଳିତ ନିର୍ବାଚନରେ ୮୦ ବର୍ଷ ବୟସରୁ ଅଧିକ ଭୋଟର, ଭିନ୍ନକ୍ଷମ ଭୋଟର, କୋଭିଡ ଅକ୍ରାନ୍ତ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ ଅକ୍ରାନ୍ତ ଭୋଟର ଯେଉଁମାନେ ଘରେ କିମ୍ବା ସଙ୍ଗରୋଧରେ ରହିଥିବା ଭୋଟର ମାନଙ୍କୁ ପୋଷ୍ଟଲ ବ୍ୟାଲଟର ସୁବିଧା ଯୋଗାଇଦିଆଯିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ- ୧୯ର ନିର୍ଦେଶାବଳୀ ଅନୁପାଲନ କରିବା ବାଧ୍ୟତାମୂଳକ ।
ଆଗାମୀ ଦିନରେ ହେବାକୁ ଥିବା ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ଅନୁସାରେ ଆସନ୍ତା ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୯ ଅକ୍ଟୋବର ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, ୧୭ ଅକ୍ଟୋବର ରେ ନାମାଙ୍କନ ପତ୍ର ଯାଞ୍ଚ ,ତା ୧୯ ଅକ୍ଟୋବରରେ ନାମାଙ୍କନ ପତ୍ର ପ୍ରତ୍ୟାହାର, ୩ ନଭେମ୍ବର ରେ ମତଦାନ । ସେହିପରି ୧୦ ନଭେମ୍ବର ରେ ଭୋଟ ଗଣତି ସହ ତା ୧୨ ନଭେମ୍ବର ରେ ନିର୍ବାଚନି ପ୍ରକ୍ରିୟା ଶେଷ ହେବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ