ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଘଟିଛି ଅନ୍ତ । ଖୁବଶୀଘ୍ର ଆରମ୍ଭ ହେବାକୁଯାଉଛି ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ଭାରତମାଳା ପରିଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ପ୍ରକଳ୍ପର ନକ୍ସାକୁ ଅନୁମୋଦନ ସହ ନିର୍ମାଣକୁ ଅନୁମତି ଦେଇଛନ୍ତି ରାଜ୍ୟସରକାର । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରସ୍ତୁତ ନକ୍ସାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ଜୁନ୍ ୨୨ରେ ଗ୍ରୀନ ସିଗ୍ନାଲ ଦେଇଥିବା ବେଳେ ଏବେ ଏହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦ୍ଵନ୍ଦ ଦୂର ହୋଇଥିବାରୁ ଖୁବ୍ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି ।
କୋଷ୍ଟାଲ ହାଇୱେ ଖୋର୍ଦ୍ଧା ଟାଙ୍ଗୀରୁ ବାହାରି ବ୍ରହ୍ମଗିରି- ସାତପଡ଼ା-ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ବର ହୋଇ ଦୀଘା ପର୍ଯ୍ୟନ୍ତ ଯିବ । ସର୍ବମୋଟ ୩୪୭.୮୧୯ କିମିର ଏହି ରାସ୍ତା ହେବ । ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀରୁ ରତନପୁର ପର୍ଯ୍ୟନ୍ତ ୧୭୭.୧୧୯ କିମି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ରତନପୁରରୁ ଦୀଘା ପର୍ଯ୍ୟନ୍ତ ୧୭୦.୭୦୦ କିମି ଏହି ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଦେଇଯିବ । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ଯୋଗାଯୋଗକୁ ଦୃଷ୍ଟିରେ ରଖି ବଡ଼ ବ୍ରିଜ୍, ଅଧିକ କଲଭର୍ଟ ନିର୍ମାଣ କରିବାକୁ ରାଜ୍ୟ ସରକାର ଦାବି ରଖିଛନ୍ତି । ତେଣୁ ଆଗାମୀ ଦିନରେ ଏହି ଖର୍ଚ୍ଚ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଧାମରାରୁ ବାସୁଦେବପୁର ପର୍ଯ୍ୟନ୍ତ ୩୩.୯୩୦ କିମିର ରାସ୍ତା ଅନ୍ୟ ଏକ ଯୋଜନାରେ ନିର୍ମାଣ ହେବ ବୋଲି ଜଣାପଡିଛି । ଧାମରା ବନ୍ଦରକୁ ସଂଯୋଗ କରି ଏହି ରାସ୍ତା ନିର୍ମାଣ ହେବାକୁ ଥିବାରୁ ବନ୍ଦର କର୍ତ୍ତୃପକ୍ଷ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମିଳିତ ଭାବେ ଏହି ରାସ୍ତା ନିର୍ମାଣ କରିବେ ।
କୋଷ୍ଟାଲ ହାଇୱେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଜାତୀୟ ରାଜପଥ-୧୬ରୁ ବାହାରି ଚିଲିକା କଡ଼କଡ଼େ ବ୍ରହ୍ମଗିରି ପର୍ଯ୍ୟନ୍ତ ଆସିବ । ଏହିଠାରୁ ପୁରୀ ହୋଇ ଦୀଘା ପର୍ଯ୍ୟନ୍ତ ଲମ୍ବିବ । ତେବେ ବ୍ରହ୍ମଗିରି ନିକଟରେ ଏହି ରାସ୍ତା ସାତପଡ଼ା ପର୍ଯ୍ୟନ୍ତ ଯିବ । ଏହି ରାସ୍ତାକୁ ରାଜ୍ୟ ସରକାର ଯୋଡ଼ିବା ସହ ଅନୁମୋଦନ କରିଛନ୍ତି । ନକ୍ସା ଓ ଡିଜାଇନ୍କୁ ରାଜ୍ୟ ସରକାର ଅନୁମୋଦନ କରିଥିବାରୁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।
କୋଷ୍ଟାଲ ହାଇୱେ ଚିଲିକା କୂଳେକୂଳେ ପରେ ବଙ୍ଗୋପସାଗର କଡ଼କଡ଼େ ଏହା ଯିବ । ଏହା ଗ୍ରିନ୍ଫିଲ୍ଡ ଅଞ୍ଚଳରେ ନିର୍ମାଣ ହେବ । ଏଥିରେ ଯେପରି ଜଙ୍ଗଲ, ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥାନ, ପ୍ରାକୃତିକ ପରିବେଶ ପ୍ରଭାବିତ ହେବନି ତାହାକୁ ଧ୍ୟାନ ଦିଆଯାଇଛି । ସେହି ଅନୁସାରେ ରାସ୍ତା ସର୍ଭେ ଶେଷ ହୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀରୁ ବ୍ରହ୍ମଗିରି ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯିବ ।
ରାସ୍ତା ୪ ଲେନ୍ ହେବାକୁଥିବାରୁ ୪୫ମିଟର ଓସାର ହିସାବରେ ଜମି ଅଧିଗ୍ରହଣ ହେବ । ହେଲେ ଏବେ ବିନା ଡିଭାଇଡ଼ରେ ଦୁଇ ଲେନ୍ ରାସ୍ତା ନିର୍ମାଣ ହେବ । ପରେ ଏହି ଦୁଇ ଲେନ୍ କଡ଼ରେ ଆଉ ଦୁଇ ଲେନ୍ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ନିର୍ମାଣ ହେଲେ ଉପକୂଳ ଓଡ଼ିଶା ମଧ୍ୟରେ ଦୂରତ୍ବ କମିବା ସହ ବନ୍ଦରକୁ ସଂଯୋଗ ସହଜ ହେବ । ୬ବର୍ଷ ହେଲା ଏହି କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲେ ବି ବିଭିନ୍ନ କାରଣ ଲାଗି ପ୍ରକଳ୍ପ କାର୍ଯ୍ୟ ବାରମ୍ବାର ଅଟକି ଥିଲା । ପ୍ରାୟ ତିନି ଥର ଡିଜାଇନ୍ ବଦଳିବା ପରେ ଏବେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ