ଭୁବନେଶ୍ବର: ଶେଷ ହେଲା ଆକାଶ ପାଠକର ରିମାଣ୍ଡ ଅବଧି । 4 ଦିନ ପାଇଁ ଆକାଶକୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ। ଜେରା ବେଳେ ଆକାଶ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ସୂଚନା ମିଳିଛି। କିଭଳି ଭାବରେ ବିଭିନ୍ନ ଲୋକଙ୍କୁ ଟାଟାରେ ଚାକିରୀ କରାଇ ଦେବା ନାଁରେ ଟଙ୍କା ହଡ଼ପ କରିଥିଲା। ଏହାସହ ଆକାଶ ଅନ୍ୟାନ ଠକେଇ କରିବାକୁ କିଭଳି ବ୍ଲୁ-ପ୍ରିଣ୍ଟ କରିଥିଲା ସେନେଇ ପୋଲିସ ସାମ୍ନାରେ ସତ ଓଗଳିଥିବା ସୂଚନା ମିଳିଛି।
ଚାକିରୀ କରାଇ ଦେବା ନାଁରେ ବିତାଡ଼ିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ। ଏହାକୁ ନେଇ ଯାଞ୍ଚ ଜାରି ରଖିଛି ଇଡି। ଖାରବେଳନଗର ଥାନା ଅଞ୍ଚଳ ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶକୁ 4 ଦିନ ପାଇଁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ। ସୋମବାର ଆକାଶ ପାଠକକୁ କୋର୍ଟରେ ହାଜର କରାଯିବ।
ରିମାଣ୍ଡ ବେଳେ ବହୁ ତଥ୍ୟ ପଦାକୁ ଆସିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ଭୁବନେଶ୍ବର ଡିସିପି କହିଛନ୍ତି ଯେ, "ଖାରବେଳ ଥାନାରେ ରହିଥିବା ମାମଲାରେ ଆକାଶ ପାଠକକୁ ରିମାଣ୍ଡରେ ଅଣା ଯାଇଥିଲା। ଏନେଇ ତଦନ୍ତ ଜାରି ରହିଛି। ରିମାଣ୍ଡରେ ଆଣିବା ଉଦ୍ଦେଶ୍ୟ ଆମର ସଫଳ ହୋଇଛି। ଆକାଶ ବିରୋଧରେ ହୋଇଥିବା ମାମଲାର ତଦନ୍ତର ଅଗ୍ରଗତି ହୋଇଛି। "
କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମଧ୍ୟ ଆକାଶ ପାଠକ ନାମରେ ମାମଲା ରୁଜୁ ହୋଇଛି। କମିଶନରେଟ ପୋଲିସର ରିମାଣ୍ଡ ଅବଧି ଶେଷ ହେବା ପରେ ଆକାଶ ପାଠକକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ନେଇପାରେ ବୋଲି ଆଲୋଚନା ହେଉଛି। ଇନପୁଟ ଟ୍ୟାକ୍ସ ଫାଙ୍କିବା ପାଇଁ ଟାଟାର ଜିଏସଟି ନମ୍ବର ବ୍ୟବହାର କରିଥିଲା ଆକାଶ। ଏହସହ ଏହି ନମ୍ବରକୁ ହିଁ ବ୍ୟବହାର କରି 2 କୋଟିରୁ 78 ଲକ୍ଷ ଟଙ୍କାର ଚାଟାର୍ଡ ବିମାନ ବୁକିଂ ହୋଇଥିଲା। ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ବିଳାସମୟ ଜୀବନ ବିତାଉଥିଲେ ପାଠକ ବାପା ପୁଅ। ଟାଟାର ଜିଏସଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ଆକାଶ ପାଠକ। ଆକାଶ ପାଠକ ସ୍କାଏକିଙ୍ଗଠାରୁ ୬୫ ଲକ୍ଷ ଟଙ୍କା ଠକିନେବାକୁ ଉଦ୍ୟମ କରିଥିବା ନେଇ ସୂଚନା ରହିଛି।
ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ପ୍ରଥମେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଏହାପରେ ଅଭୟକାନ୍ତ ଓ ଆକାଶ ପାଠକଙ୍କ ଅର୍ଥ କେଳେଙ୍କାରୀ ମାମଲା ଗୋଟି ଗୋଟି କରି ପଦାରେ ପଡ଼ିଥିଲା। ଏହି ମାମଲାରେ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସାମିଲ ରହିଥିବା ପୋଲିସ ପ୍ରମାଣ ପାଇଥିଲା। ଏଥିପାଇଁ ତାଙ୍କୁ ବିଜେଡିରୁ ବରଖାସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ବରରୁ ତାପସ ପରଡ଼ା, ଇଟିଭି ଭାରତ