ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଭୂଷଣ ମନୋଜ ଦାସ ଦୀର୍ଘ 2 ମାସ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କୁ ପୁଡୁଚେରୀରେ ଥିବା ଜବାହାରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(JIPMER)କୁ ସ୍ଥାନାନ୍ତର କରାଯାଇଛି ।
ପଦ୍ମଭୂଷଣ ମନୋଜଙ୍କୁ ଓଙ୍କୋଲୋଜି ୱାର୍ଡ ବା କ୍ୟାନସର ରୋଗର ଚିକିତ୍ସା କରାଯାଉଥିବା ବିଭାଗରେ ଭର୍ତ୍ତି କରାଯାଇଛି । ଏହି ବିଭାଗର ମୁଖ୍ୟ ଡକ୍ଟର ବିଶ୍ବଜିତ ଦାସଙ୍କ ନେତୃତ୍ବରେ 4 ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ବୃଦ୍ଧାବସ୍ଥାରେ ଅସୁସ୍ଥତା କାରଣ ଯୋଗୁଁ ମନୋଜଙ୍କୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ଡକ୍ଟର ଦାସଙ୍କ ତଦାରଖ କ୍ରମେ ତାଙ୍କୁ ଚିକିତ୍ସିତ କରାଯାଉଥିଲା ।
ତେବେ କିଛି ଦିନ ପୂର୍ବେ ମନୋଜଙ୍କ ଏକ ହାତର ହାଡ ଭାଙ୍ଗିଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ଦାବି ହୋଇଆସୁଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମନୋଜଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସେମାନଙ୍କ ଅନୁରୋଧକୁ ରକ୍ଷା କରି 4 ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରି ପଠାଇଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋଜଙ୍କ ଚିକିତ୍ସା କରୁଥିବା ଡକ୍ଟର ଅଶୋକ କୁମାର ଦାସଙ୍କ ସହିତ କଥା ହେଇଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଚିକିତ୍ସା ପାଇଁ ପଠାଇବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲର ମୁଖ୍ୟ ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ବୁଧବାର ଶ୍ରୀ ଅରବିନ୍ଦ ଆଶ୍ରମରେ ଦାସଙ୍କୁ ଭେଟିଛନ୍ତି । ତେବେ ମନୋଜଙ୍କ ସ୍ବାସ୍ଥ୍ୟବସ୍ଥାର ସ୍ଥିତି ସମ୍ପର୍କରେ JIPMERର ଚାରି ସଦସ୍ୟ ବିଶିଷ୍ଟ ଡାକ୍ତରୀ ଦଳଙ୍କ ସହିତ ଡକ୍ଟର ମହାପାତ୍ର କଥା ହୋଇଥିଲେ । ଏହି ଆଲୋଚନା ସଭାରେ ମନୋଜଙ୍କୁ JIPMERକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ