ନୂଆଦିଲ୍ଲୀ: କୃଷି ସମ୍ପର୍କିତ ବିଲକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । କଂଗ୍ରେସ ସମେତ ଅନେକ ଦଳ ଏହି ବିଲ୍କୁ ବିରୋଧ କରିଛନ୍ତି । ଏପରିକି ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ଥିବା ହରସିମରତ କୌର ମଧ୍ୟ ଏହି ବିଲକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏପରିସ୍ଥିତିରେ କେନ୍ଦ୍ର ସହ ସମଦୂରତା ପାଳନ କରୁଥିବା ବିଜୁଜନତା ଦଳ ମଧ୍ୟ ବିଲ୍କୁ ବିରୋଧ କରିନଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିନାହିଁ । ଏହି ବିଲ୍ରେ ଦ୍ବନ୍ଦ୍ବ ଉପୁଜୁଥିବା କହିଛନ୍ତି କେନ୍ଦ୍ରାପଡାରୁ ବିଜେଡିର ଲୋକସଭା ସାଂସଦ ଅନୁଭବ ମହାନ୍ତି ।
ସାଂସଦ ଅନୁଭବ ମହାନ୍ତି ବିଲ୍ ସମ୍ପର୍କରେ ଆଲୋଚନା ସମୟରେ କହିଛନ୍ତି ଯେ ହୁଏତ ବିଲ୍ ତତ୍ତ୍ବଗତ ଭାବରେ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ ନେଇ ଅଧିକ ବିକଳ୍ପ ପ୍ରଦାନ କରୁଛି, ତଥାପି ସେମାନେ କେଉଁଠାରେ, କିପରି ଏବଂ କାହାକୁ ନିଜର ଉତ୍ପାଦ ବିକ୍ରୟ କରିବେ ସେ ସମ୍ବନ୍ଧରେ ଦ୍ବନ୍ଦ୍ବରେ ରହିବେ | ଏହାସହ କାରବାରର ସ୍ଥାନ, ପରିବହନ ସୁବିଧା, ଶୀତଳ ଭଣ୍ଡାର ଇତ୍ୟାଦି ଅଭାବ ରହିଥିବାରୁ ଏହି ବିଲ ଯୋଗୁଁ ଚାଷୀମାନେ ବିଶେଷ ଉପକୃତ ହେବେ ନାହିଁ ।
ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭାରେ ତିନିଗୋଟି ପୃଥକ୍ ବିଲ୍ ଉପସ୍ଥାପନ କରାଯାଇଥିଲା । ଏହି ବିଲ୍ ତିନୋଟି 5 ଜୁନ 2020ରେ ଜାରି ଅଧ୍ୟାଦେଶର ସ୍ଥାନ ଗ୍ରହଣ କରିବ । ଏହି ତିନୋଟି ବିଲ୍ ହେଉଛି:
- କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ ବିଧେୟକ, 2020
- କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ଆଶ୍ବାସନ ଅନୁବନ୍ଧ କୃଷି ସେବା ବିଧେୟକ, 2020
- ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ), 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ