ଭୁବନେଶ୍ବର: ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ଚୌଧୁରୀଙ୍କୁ କଟକ ସ୍ବତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ)ଙ୍କ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଜେଲ୍ ଏବଂ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯାଇଛି।
ଦୁର୍ନୀତି ବିରୋଧରେ ଦଣ୍ଡାଦେଶ ଶୁଣାଣି ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ଅଭିଯାନ ଏବଂ ଏ ଦିଗରେ ଥିବା ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ସଞ୍ଜୟ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ରେ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ ନିଯୁକ୍ତ ଥିଲେ । ତାଙ୍କ ନାମରେ ସାଂସଦ ପାଣ୍ଠି ବିନିଯୋଗରେ ନିର୍ମିତ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ 10,197 ଟଙ୍କାର ମିଥ୍ୟା ବିଲ୍ ପ୍ରସ୍ତୁତ ଅଭିଯୋଗଥିଲା। ଏହି ଅଭିଯୋଗର ଶୁଣାଣି କରି ସ୍ବତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ) ତାଙ୍କୁ ଦଣ୍ଡିତ କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ