ଭୁବନେଶ୍ବର: ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି । ତେବେ ଗତ ଅଗଷ୍ଟ ମାସ ସୁଦ୍ଧା କୋରୋନା କାଳରେ ରାଜ୍ୟକୁ ଫେରିଥିବା ଏବଂ ବିଭିନ୍ନ କୋଭିଡ କେୟାର ହୋମରେ ରହିଥିବା ପ୍ରବାସୀଙ୍କ ପାଇଁ ଓଡିଶା ସରକାର 134.62 କୋଟି ଟଙ୍କା ବଣ୍ଟନ କରିଛନ୍ତି । ମଙ୍ଗଳବାର ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।
ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ରାଜ୍ୟରୁ ମୋଟ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 2 ଲକ୍ଷ 25 ହଜାର 602 ଜଣ ପ୍ରବାସୀ ରହିଛନ୍ତି । ପ୍ରତ୍ୟେକ ପ୍ରବାସୀଙ୍କ ସଙ୍ଗରୋଧ ଅବଧି ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେମାନଙ୍କୁ 2 ହଜାର ଟାଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା 6 ଲକ୍ଷ 73 ହଜାର 79 ଜଣ ପ୍ରବାସୀ ଶ୍ରମିକଙ୍କୁ ମୋଟ 134.62 କୋଟି ଟଙ୍କା ପ୍ରଦାନ କରାଯାଇଥିବା ଜଣାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ।
ସ୍ବତନ୍ତ୍ର କୋଭିଡ ସହୟତା ବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ମିଶନ ଶକ୍ତି ଆଦି ବିଭିନ୍ନ ଯୋଜନା ଜରିଆରେ ରୋଜଗାର ଯୋଗାଇ ଦିଆଯାଇଛି । ଏହାସହ ଗତବର୍ଷ ଅଗଷ୍ଟ ମଧ୍ୟରେ ଓଡିଶା ବିଲଡିଂ ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପଞ୍ଜିକୃତ ପ୍ରତ୍ୟେକ ଶ୍ରମିକଙ୍କୁ 1500 ଟଙ୍କା ଲେଖାଏଁ ସ୍ବତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ତେବେ କୋଭିଡ-19 କଟକଣା କୋହଳ ହେବା ପରେ କୌଣସି ଶ୍ରମିକ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବାର ସୂଚନା ନଥିବା ମନ୍ତ୍ରୀ ଦାବି କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ