ଭୁବନେଶ୍ବର: ସ୍ବାଭିମାନର ସହିତ ବଞ୍ଚିବା ପାଇଁ ବିଜୁଳି ଏକ ମୌଳିକ ସେବା । ତେବେ ଦିଲ୍ଲୀରେ ଆପ ସରକାର ପ୍ରତ୍ୟେକ ପରିବାରକୁ 100 ୟୁନିଟ ବିଜୁଳି ବିନା ମୂଲ୍ୟରେ ଯୋଗାଇ ଦେଇଥିବାରୁ ଓଡିଶାରେ ମଧ୍ୟ ମାଗଣା 200 ୟୁନିଟ ବିଜୁଳି ସେବା ଯୋଗାଇବା ପାଇଁ ଆପ ଓଡିଶା ଦାବି କରିଛି । ଏଥିଲାଗି ଆସନ୍ତା 7 ତାରିଖରେ ଆନ୍ଦୋଳନ ଡାକରା ଦେଇଛି ଦଳ ।
ସ୍ବାଭିମାନର ସହିତ ବଞ୍ଚିବା ପାଇଁ ବିଜୁଳି ଏକ ମୌଳିକ ଆବଶ୍ୟକତା ବୋଲି ସ୍ୱୀକାର କରି ଦିଲ୍ଲୀରେ ଆପ ସରକାର ପ୍ରତ୍ୟେକ ପରିବାରଙ୍କୁ ମାସିକ ୧୦୦ ୟୁନିଟ୍ ବିଜୁଳି ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ଆମ୍ ଆଦମୀ ପାର୍ଟିର ବିଜୁଳିକୁ ମୌଳିକ ଆବଶ୍ୟକତା ଏବଂ ଅଧିକାର ଭାବରେ ଗ୍ରହଣ କରିବା ପରେ ଅନ୍ୟ ରାଜନୈତିକ ଦଳ ନୀତିଗତ ଭାବରେ ଗ୍ରହଣ କରିଛନ୍ତି । କଂଗ୍ରେସ ପାର୍ଟି ( INC ) ଆସାମରେ କ୍ଷମତାକୁ ଆସିଲେ ୨00 ୟୁନିଟ ବିଜୁଳି ପ୍ରତ୍ୟେକ ପରିବାରକୁ ଯୋଗାଇଦେବା ସହିତ ଭାରତୀୟ ଜନତା ପାର୍ଟି ( BJP ) ତେଲେଙ୍ଗାନାରେ ୧୦୦ ୟୁନିଟ୍ ବିଜୁଳି ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ।
ଏହାପରେ ଆପ ଓଡିଶା ଦଳ ରାଜ୍ୟରେ ବିଜୁଳି କମ୍ପାନୀଗୁଡିକ କରୁଥିବା ଲୁଟକୁ ଦୃଢ ବିରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁଳି ଉପଭୋକ୍ତା ମାରଣା ନୀତିର ପ୍ରତିବାଦ କରିଛି ଆପ ଓଡିଶା । ରାଜ୍ୟ ସରକାର ପ୍ରତି ପରିବାରକୁ ମାଗଣାରେ 200 ୟୁନିଟ ବିଜୁଳି ନ ଯୋଗାଇଲେ ଆସନ୍ତା 7 ତାରିଖ ଲୋୟର ପିଏମଜିରେ ଧାରଣା ଦେବା ପାଇଁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଦଳ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ