ଭୁବନେଶ୍ବର: ରାଜଧାନୀରେ ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବରେ ଓଡ଼ିଶା ଜଳ ଏକାଡେମୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ପାନୀୟ ଜଳ ଯୋଗାଣ ଓ ଏବଂ ବର୍ଜ୍ୟଜଳ ପରିଚାଳନା କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟରେ ପ୍ରତିଷ୍ଠା କରାଯିବ । ଏହି ଅନୁଷ୍ଠାନ ଏକ ଅଗ୍ରଣି ତାଲିମ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।
ଏହି ଅବସରରେ ପଞ୍ଚାୟତ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ ( WATCO ), ଜନସ୍ବାସ୍ଥ୍ୟ କାରିଗରୀ ସଂସ୍ଥା ( PHEO ), ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ ( OWSSB ) ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।
ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ଯ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜିକୃତ ହେବ । ଓଡ଼ିଶା ଜଳ ନିଗମ ( WATCO )ର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ । ଏହାର ନିଜସ୍ୱ ମେମୋରେଣ୍ଡସ୍ ଅପ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ବସ୍ତରୀୟ ସହଭାଗିତା ଦ୍ଵାରା ପରିଚାଳିତ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ