ଭୁବନେଶ୍ବର: ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ନିୟୋଜନରେ ଆସିବ ସ୍ୱଚ୍ଛତା । ଏନେଇ ବିକଶିତ କରାଯାଇଛି ଏକ ପୋର୍ଟାଲ । ଏହି ପୋର୍ଟାଲ ଜରିଆରେ ବିଭାଗୀୟ କାର୍ଯ୍ୟର ତଦାରଖ ହେବ। ଏହି ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ଏହି ନିୟୋଜଳ ପୋର୍ଟାଲର ବ୍ୟବହାର ଦ୍ଵାରା ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ନିୟୋଜନ ପ୍ରକ୍ରିୟା ଏବଂ ଏହା ସମ୍ବନ୍ଧୀୟ ପ୍ରଶାସନିକ କାର୍ଯ୍ୟର ସଞ୍ଚାଳନ ସହଜରେ ହୋଇପାରିବ । କାର୍ଯ୍ୟଦକ୍ଷତା ବୃଦ୍ଧି, ନିୟୋଜନ ବିଜ୍ଞାପନ ପ୍ରକାଶ କରିବା, ଅନ୍ଲାଇନ୍ ନିୟୋଜନ ପ୍ରକ୍ରିୟାର ସ୍ଵୟଂଚାଳନ ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏହି ପୋର୍ଟାଲର ପରିକଳ୍ପନା ହୋଇଛି ।
ଅତ୍ୟାବଶ୍ୟକୀୟ ସୂଚନାର ନିୟମିତ ଆଦାନପ୍ରଦାନ ପାଇଁ ପୋର୍ଟାଲ ସହିତ ଜଡ଼ିତ ବ୍ୟବହାରକାରୀଙ୍କ ପାଇଁ ଏହି ପୋର୍ଟାଲରେ ଏକ ଉନ୍ନତ ସହଯୋଗକାରୀ ବ୍ୟବସ୍ଥା ରହିଛି । ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ପାଇଁ ନିୟୋଜନ ପ୍ରକ୍ରିୟାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ନିର୍ମିତ ଏହି ଅନ୍ଲାଇନ୍ ପୋର୍ଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଲୋକାର୍ପଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ