ଭୁବନେଶ୍ବର: ରେଳ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟକୁ ମିଳିଥିବା ଅନୁଦାନ ନେଇ ବିସ୍ତୃତ ସୂଚନା ଦେଇଛି ରେଲୱେ । ଚଳିତବର୍ଷ ବଜେଟରେ ରାଜ୍ୟକୁ ମୋଟ ୬ ହଜାର ୯ ଶହ ୯୫ କୋଟି ୫୮ ଲକ୍ଷର ଅର୍ଥ ରାଶି ମିଳିଥିବା ଜଣା ପଡିଛି ।
ରାଜ୍ୟରେ ନିର୍ମାଣାଧୀନଥିବା ରେଳ ପ୍ରକଳ୍ପ, ନୂଆ ଲାଇନ ନିର୍ମାଣ, ବିଭିନ୍ନ ଲାଇନର ଦୋହରୀକରଣ ପ୍ରକ୍ରିୟା, କିଛି ଲାଇନର ଆଧୁନିକୀକରଣ ଆଦି ପ୍ରକଳ୍ପ ପାଇଁ ଏହି ଅନୁଦାନ ରଶି ବରାଦ ହୋଇଥିବା ସୂଚନା ଦେଇଛି ରେଲଓ୍ବେ । ନୂଆ ଲାଇନ ନିର୍ମାଣ ପାଇଁ ୧୫୫୩ କୋଟି ଓ ଦୋହରିକରଣ ପାଇଁ ୧୭୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଗତବର୍ଷ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ 520 କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତ ବଜେଟରେ ଏହି ରାଶିକୁ 1000 କୋଟିକୁ ବୃଦ୍ଧି କରାଯାଇଛି । ଚଳିତବର୍ଷର ଅନୁଦାନ ରାଶି ଗତବର୍ଷ ଅପେକ୍ଷା ୬୦% ଅଧିକ ବୋଲି କହିଛି ରେଲଓ୍ବେ । ଗତବର୍ଷ ଓଡିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ଦେଇଥିଲା କେନ୍ଦ୍ର ।
ଏଥର ରେଳ ବଜେଟରେ ଓଡିଶାକୁ ମାତ୍ର 5528 କୋଟି ଟଙ୍କା ମିଳିଥିବା କହି ରାଜ୍ୟ ଅବହେଳିତ ହୋଇଥିବା କଥା କହିଥିଲା ରାଜ୍ୟ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ନୈରାଶଜନକ କହିବା ସହିତ ଓଡିଶା ରେଳ କ୍ଷେତ୍ରରେ ଉପକ୍ଷିତ ହୋଇଥିବା ଅଭିଯୋଗ କରିଥିଲେ । ସେହିପରି ରାଜ୍ୟ କଂଗ୍ରସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରେଳ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ରାଜ୍ୟକୁ 5528 କୋଟି ନୁହେଁ ମୋଟ 6995 କୋଟି ଟଙ୍କାର ଅନୁଦାନ ରାଶି ମିଳିଥିବା କଥା ସ୍ପଷ୍ଟ କରିଛି ରେଲଓ୍ବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ