ଭୁବନେଶ୍ବର: ରାତି ପାହିଲେ ରାଜଧାନୀରେ ଆସି ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବରରେ ପିଏମ ରୋଡ ଶୋ' କରିବା ସହିତ ବରମୁଣ୍ଡାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ତେବେ ଏ ନେଇ ପ୍ରସ୍ତୁତି ଶେଷ କରିଛି କମିସନରେଟ ପୋଲିସ। ସୋମବାର ବିମାନ ବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ଟିକିନିକି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି କମିସନରେଟ ପୋଲିସ। ଏପରିକି ସୋମବାର ସନ୍ଧ୍ୟାରେ ଏକ କାରକେଟ ରିହରସଲ ମଧ୍ୟ କମିସନରେଟ ପୋଲିସ ପକ୍ଷରୁ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ 60 ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।
କାର୍ଯ୍ୟସୂଚୀ ଅନୁସାରେ ରାଜଧାନୀରେ ପହଁଞ୍ଚି ପ୍ରଥମେ ନରେନ୍ଦ୍ର ମୋଦି ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋକୁ ନେଇ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କୌଣସି ପରିସ୍ଥିତିରେ ବି ଯେପରି ବିଶୃଙ୍ଖଳା ନହୁଏ ସେଥି ପ୍ରତି ସଜାଗ ରହିଛି ପୋଲିସ। ବିମାନବନ୍ଦରରୁ ବାହାରି ମୋଦି ସିଧାସଳଖ ରୋଡ ଶୋ କରି ବିମାନବନ୍ଦର ଛକ, ଓୟୁଏଟି ଛକ, ସିଟି ମହିଳା କଲେଜ ଓ ଫାୟାର ଛକ ଦେଇ ବରମୁଣ୍ଡା ପଡିଆକୁ ଯିବାର କାର୍ଯ୍ୟକ୍ରମ ରହିଛି।
ତେବେ ସୂଚନା ମୁତାବକ ପ୍ରତି ଛକରେ ମକ ଡ୍ରିଲ୍ କରାଯାଇ ସମସ୍ତ ପ୍ରକରର ସୁରକ୍ଷା ଯାଞ୍ଚ କରାଯାଇଛି। ସୁରକ୍ଷାକୁ ଦୃଷ୍ଟରେ ରଖି ଏକ ଘଣ୍ଟା ପୂର୍ବରୁ ସମସ୍ତ ରାସ୍ତାକୁ ସିଲ୍ କରିବା ସହ ପୋଲିସ ଅଧିକାରୀ ଏହାର ତଦାରଖ କରିବେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ