ଭୁବନେଶ୍ବର: ଚଳିତ ଖରିଫ ୨୦୨୧ରେ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ ସମୟସୀମା ଅଗଷ୍ଟ ୨୩ରେ ଶେଷ ହୋଇଛି । ରାଜ୍ୟରେ ମୋଟ ୧୫ ଲକ୍ଷ ୭୪ ହଜାର ୩୦୮ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ଖରିଫରେ ୫ ପ୍ରତଶିତ ଅଧିକ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି । ଚଳିତ ଖରିଫରେ ପ୍ରାୟ ୭୫ ହଜାରରୁ ଅଧିକ ଚାଷୀ ସେମାନଙ୍କ ଖରିଫ ଧାନ ବିକ୍ରି ନିମନ୍ତେ ସୋସାଇଟିରେ ନାମ ପଞ୍ଜୀକରଣ କରିଛନ୍ତି । ଗତ ଖରିଫ ୨୦୨୦ରେ ମୋଟ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ ।
ଚଳିତ ଖରିଫରେ ରାଜ୍ୟର ୩୦ଟି ଜିଲ୍ଲାରେ ୨୮୮୩ଟି ସୋସାଇଟିରେ ଚାଷୀ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଇଛି । ଅଧିକ ନାମ ପଞ୍ଜୀକରଣ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୧,୩୬,୬୧୪ ଜଣ, ଗଞ୍ଜାମରେ ୧,୨୪,୦୮୦ ଜଣ, ବାଲେଶ୍ୱରରେ ୯୪,୧୯୧, କଳାହାଣ୍ଡି ୮୮,୧୦୬ ଜଣ, ମୟୂରଭଞ୍ଜରେ ୭୧,୯୬୯ ଜଣ, ସୁବର୍ଣ୍ଣପୁରରେ ୬୪,୫୬୭ ଜଣ, କଟକରେ ୬୬,୫୩୭ ଜଣ ଓ ସମ୍ବଲପୁର ଜିଲ୍ଲାରେ ୫୬,୭୭୩ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ।
ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଚାଷୀମାନେ ଯେପରି ସୁବିଧାରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ନାମ ପଞ୍ଜୀକରଣ ଓ ଯାଞ୍ଚ ସଂପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ଶୁଣାଣି ଓ ସମାଧାନ ନିମନ୍ତେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଅତ୍ୟାଧୁନକି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ୭ଟି ଜିଲ୍ଲାରେ ସାଟେଲାଇଟ୍ ଇମେଜ୍ ମାଧ୍ୟମରେ ଚାଷୀମାନେ ଧାନଚାଷ ସଂପର୍କରେ ଦେଇଥିବା ତଥ୍ୟକୁ ଯାଞ୍ଚ କରାଯାଉଛି । ଏଥି ସହିତ ରାଜସ୍ୱ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା ଗଠିତ ଯୁଗ୍ମ କମିଟି ଦ୍ୱାରା ଅନ୍ୟ ପ୍ଲଟ୍ଗୁଡ଼ିକର ଯାଞ୍ଚ କାର୍ଯ୍ୟ କରାଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ