ଭୁବନେଶ୍ବର: ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ ଓ ସମିତି ପକ୍ଷରୁ ଚଳିତ ଆର୍ଥିକ ବର୍ଷ 2020-21 ଓ ଖରିଫ ଋତୁ ୨୦୨୦ ଓ ରବି ଋତୁ ୨୦୨୦ - ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବମୋଟ ୧୪ ହଜାର ୬୯୭ କୋଟି ୪୧ଲକ୍ଷ ଟଙ୍କାର ଫସଲ ଋଣ ଯୋଗାଇ ଦିଆଯାଇଅଛି । ରାଜ୍ୟରେ ଥିବା ୩୩ ଲକ୍ଷ ୩୪ ହଜାର ୬୦୮ ଜଣ ଚାଷୀଙ୍କୁ ଏହି ଋଣ ଦିଆଯାଇଥିବା ବୁଧବାର ବିଧାନସଭାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତଥ୍ୟ ଉପସ୍ଥାପନ କରିଛନ୍ତି ।
ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ କେତେ ଟଙ୍କା ଋଣ କେତେଜଣ ଚାଷୀଙ୍କୁ ଦେଇଛନ୍ତି ଓ ଚାଷୀମାନେ ବିଭିନ୍ନ ପ୍ରକାର ଋଣ ପାଇବା ପାଇଁ କଣ ମାପଦଣ୍ଡ ରହିଛି । ଏହା ସହ କିଛି ଅଣ ଚାଷୀମାନେ ଚାଷୀ ନାଁରେ ଋଣ ପାଇ ଅନ୍ୟାନ୍ୟ କାମରେ ଋଣ ଟଙ୍କା ଖର୍ଚ୍ଚ କରୁଥିବାର ଖବର ସଂପର୍କୀତ ଏକ ପ୍ରଶ୍ନର ଉତ୍ତରରେ ବୁଧବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଏହି ସୂଚନା ଉପସ୍ଥାପନ କରିଛନ୍ତି । ସମବାୟ ମନ୍ତ୍ରୀ ସମବାୟ କ୍ଷେତ୍ରରେ ମୋଟ 30 ଗୋଟି ଜିଲ୍ଲାରେ ଥିବା 2710 ଗୋଟି ପ୍ରାଥମିକ କୃଷି ସମବାୟ ସମିତି, 17 ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ନେଇ କୃଷି ଋଣ ବଣ୍ଟନର ବ୍ୟବସ୍ଥା କରାଯାଇଅଛି ବୋଲି ଗୃହରେ ତଥ୍ୟ ରଖିଛନ୍ତି ।
ଜିଲ୍ଲାସ୍ତରୀୟ ବୈଷୟିକ କମିଟି ଦ୍ବାରା କେଉଁଚାଷୀ କେତେ ଋଣ ପାଇବେ ସେନେଇ ମାନଦଣ୍ଡ ସ୍ଥିର କରାଯାଇଥାଏ। ସମସ୍ତ ପ୍ରକାର ଫସଲ ପାଇଁ ଜମି ଏକର ପ୍ରତି ଋଣ ଧାର୍ଯ୍ୟ ସୀମା ରହିଥାଏ। ଚାଷୀମାନେ ସମିତି ମାଧ୍ୟମରେ ସେମାନଙ୍କ ଜମିର ପରିମାଣକୁ ହିସାବକୁ ନେଇ ଏବଂ ଚାଷ କରୁଥିବା ଫସଲ ପାଇଁ ଋଣର ଆବଶ୍ୟକତା ଆଧାରରେ ସେମାନଙ୍କୁ ଋଣ ଦିଆଯାଇଥାଏ । ଏହି ଋଣ କିଶାନ କ୍ରେଡ଼ିଟ କାର୍ଡ ମାଧ୍ୟମରେ ଚାଷୀ ମାନଙ୍କୁ ସର୍ବାଧୂକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଇଥାଏ । ଅଣ ଚାଷୀମାନେ ଚାଷୀ ନାଁରେ ଋଣ ନେଇଥିବା ଅଭିଯୋଗ ମିଳିଲେ ଏହାଉପରେ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନିୟମିତ ଋଣ ପରିଶୋଧ କଲେ ଚାଷୀ ସଭ୍ୟଙ୍କୁ ୫୦ , ୦୦୦ / - ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଉପରେ କୌଣସି ସୁଧ ଦେବାକୁ ପଡୁନଥିବା ବେଳେ ୫୦, ୦୦୧ / - ରୁ ୩,୦୦, ୦୦୦ / - ପର୍ଯ୍ୟନ୍ତ କୃଷି ଋଣ ଉପରେ ରିହାତି ଦରରେ 2 ପ୍ରତିଶତ ସୁଧ ହାରରେ ଋଣ ଲଗାଣ କରାଯାଉଛି । ସଠିକ ସମୟରେ ଋଣ ପରିଶୋଧ କରି ପାରୁନଥିବା ବ୍ୟକ୍ତିଙ୍କ ଠାରୁ ଋଣ ଆଦାୟ ନିମନ୍ତେ ପ୍ରବର୍ତ୍ତାଇବା, ଋଣ ଆଦାୟର ସମୀକ୍ଷା କରିବା, ଋଣ ଆଦାୟ ମେଳା ଇତ୍ୟାଦି ପଦକ୍ଷେପମାନ ଗ୍ରହଣ କରାଯାଉଅଛି ।
ସେହିଭଳି ଋଣ ପରିଶୋଧ ପାଇଁ କିଭଳି ନିୟମ ରହିଛି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି ହେଲେ ବା ଚାଷୀ ମୃତ୍ୟୁବରଣ କଲେ ଋଣ ପରିଶୋଧ କିପରି ହେଉଛି ସେନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୂଚିତ ଫସଲର କ୍ଷୟକ୍ଷତି ହେଲେ ଫସଲ ବୁଣା ବା ରୁଆ ପର ଠାରୁ ଅମଳ ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିବା ଋଣୀ ଚାଷୀ ଓ ଅଣ ଋଣୀ ଚାଷୀମାନଙ୍କୁ କ୍ଷତି ପୂରଣ ରାଶି ମିଳିଥାଏ । ଏହାସହ ପ୍ରାକୃତିକ ବିପର୍ଯ୍ୟୟରେ ଫସଲର କ୍ଷୟକ୍ଷତି ହେଲେ ରାଜ୍ୟ ସରକାର ନାବାର୍ଡର ନିୟମାବଳୀ ଅନୁସାରେ ସ୍ବଳ୍ପକାଳୀନ ଋଣକୁ ମଧ୍ୟମକାଳୀନ ଋଣରେ ପରିବର୍ତ୍ତନ କରି ପର୍ଯ୍ୟାୟକ୍ରମେ ପରିଶୋଧର ସମୟସୀମା ବୃଦ୍ଧି କରିଥାନ୍ତି । ଋଣୀ ଚାଷୀ ମୃତ୍ୟୁବରଣ କଲେ ସମ୍ପୃକ୍ତ ଚାଷୀ ଆବେଦନ କରିଥିବା ଋଣ ଫର୍ଦ୍ଦରେ ନାମାଙ୍କିତ କରିଥିବା ଉତ୍ତରାକାରୀମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିଥାଏ ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ