ଭୁବନେଶ୍ବର : ମୁଖ୍ୟ ଶାସନ ସଚିବଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚେକଡ୍ୟାମ ନିର୍ମାଣରେ ଦୃତ ଅଗ୍ରଗତି ହାସଲ ହୋଇଛି । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ ଏହିସବୁ ଚେକ୍ଡ୍ୟାମ୍ ନିର୍ମାଣରେ ବହୁମୁଖୀ ସୁଫଳ ମିଳିଥାଏ । ପ୍ରତି ଚେକ୍ ଡ୍ୟାମ ଯୋଗୁଁ ନଦୀ ଶଯ୍ୟାରେ ପ୍ରାୟ ୧ ରୁ ୧.୫ କି.ମି. ବ୍ୟାପି ଜଳପତନ ବୃଦ୍ଧିପାଏ । ଏହି ଜଳକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିକୁ ଉଠାପମ୍ପ ମାଧ୍ୟମରେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଯୋଗାଣ ସମ୍ଭବ ହୁଏ । ପରିବ୍ୟାପ୍ତ ଜଳ ଭୂତଳ ଜଳସ୍ତର ପରିପୂରଣରେ ସହାୟକ ହୁଏ । ନଦୀରେ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମାଛଚାଷ କରିବା ସମ୍ଭବ ହୁଏ ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପୋଲ ତଳ ଚେକ୍ଡ୍ୟାମ୍ ପ୍ରାୟ ୧ ରୁ ୧.୫ ମି. ଉଚ୍ଚତାର ଜଳ ଧାରଣ କରେ । ପରବର୍ତ୍ତୀ ଜଳ ନଦୀର ତଳ ମୁଣ୍ଡକୁ ଯାଏ । ନଦୀର ପ୍ରାକୃତିକ ପ୍ରବାହ ଉପରେ ଏହି ଚେକ୍ଡ୍ୟାମ ଖରାପ ପ୍ରଭାବ ପକାଏ ନାହିଁ । ଏହି ବୈଷୟିକ କୌଶଳ ଓଡ଼ିଶା ପାଇଁ ବେଶ ଉପଯୋଗୀ । ପ୍ରାୟ ୨ ମାସ ମଧ୍ୟରେ ୪୫ଟି ପୋଲ ତଳେ ଚେକଡ୍ୟାମ ନିର୍ମାଣ ସରିଛି । ଏଥି ମଧ୍ୟରୁ ୩୧ ଟି ପୂର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣ କରିଛନ୍ତି । ଏହାଛଡା ଏହି ଦୁଇ ବିଭାଗଙ୍କ ଦ୍ୱାରା ପ୍ରାୟ ୪୮୦ ଟି ପୋଲ ଚିହ୍ନଟ କରାଯାଇଛି। ଯାହା ତଳେ ଚେକଡ୍ୟାମ ନିର୍ମାଣ ସଫଳ ହେବ ।
ଚଳିତ ବର୍ଷ ୩୦୦ ଟି ଚେକଡ୍ୟାମ ନିର୍ମାଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କାର ପ୍ରାଥମିକ ଖର୍ଚ୍ଚ ଅଟକଳ କରାଯାଇଛି । ଚେକଡ୍ୟାମ ନିର୍ମାଣ ହୋଇଥିବା ନଦୀ, ନାଳର ଉଭୟ ପାର୍ଶ୍ୱରେ ଥିବା ଜମିରେ ପନିପରିବା, ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ସଂଗଠିତ କରିବା ସହ ଉଠା ଜଳସେଚନ ପମ୍ପ ମାଧ୍ୟମରେ ଜଳ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ, ଉଦ୍ୟାନଚାଷ, କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଉନ୍ନୟନ କିମିଶନର ପ୍ରଦୀପ କୁମାର ଜେନା, ଜଳ ସମ୍ପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର