ଭୁବନେଶ୍ବର: ଆସନ୍ତା ଜାନୁଆରୀ16 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ହେବାକୁ ଯାଉଛି 51ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ବା ଇଫି। ଯେଉଁଥିରେ ଓଡ଼ିଶାର 3ଟି ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ ମିଳିଥିବା ସୂଚନା ରହିଛି।


ଯେଉଁଥିରେ ସ୍ବର୍ଗତ ବିଜୟ ମହାନ୍ତି ଅଭିନୀତ ଓ ବିପ୍ଳବ ରାୟ ଚୌଧୁରୀ ନିର୍ଦେଶୀତ ଫିଲ୍ମ "ଚିଲିକା ତୀରେ", ଅକ୍ଷୟ ପରିଜା ପ୍ରଯୋଜିତ ଓ ମନମୋହନ ମହାପାତ୍ର ନିର୍ଦେଶୀତ "ଫିଲ୍ମ ଭିଜା ମାଟିର ସ୍ବର୍ଗ" ଓ ବିଜୟିନୀ ଜେନା(ଡ଼ଲି)ଙ୍କ ନିର୍ଦ୍ଦେଶିତ "ତାରା"ପ୍ରଦର୍ଶିତ ହେବ।


ସୂଚନାଯୋଗ୍ୟ କି, ଏହି ଫିଲ୍ମ ଗୁଡିକ ଜାତୀୟ ଓ ରାଜ୍ୟ ପୁରସ୍କାରରେ ପୁରସ୍କୃତ ହୋଇ ସାରିଛି ଏବଂ ନିକଟରେ ଏହି ଫିଲ୍ମର ଅଭିନେତା ଯଥା ଅଜିତ ଦାସ(ତାରା), ବିଜୟ ମହାନ୍ତି(ଚିଲିକା ତୀରେ) ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର(ଭିଜା ମାଟିର ସ୍ବର୍ଗ) ନିକଟରେ ଦେହାନ୍ତ ହୋଇଛି।


ସେହି ଅମ୍ଳାନ କଳାକାରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କର ଏହି ଫିଲ୍ମ ଗୁଡିକ ଆନ୍ତର୍ଜାତିକ ଉତ୍ସବରେ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଥିବା ସୂଚନା ମିଳିଛି। ଯାହାକି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ସମ୍ମାନର କଥା ।
ଭୁବନେଶରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ