ଭୁବନେଶ୍ବର: ପଶ୍ଚିମ ଓଡିଶା କୃଷକଙ୍କ ନାଁରେ ରାଜ୍ୟ କୃଷି ବିଭାଗରୁ ସାଢେ 3 କୋଟି ଟଙ୍କା ଠକେଇ । ନକଲି କାଗଜପତ୍ର ଜରିଆରେ ଚାଉଳ ମେସିନ ସଵସିଡ଼ି ଟଙ୍କା ଚଳୁ । ଏଭଳି ବଡ଼ ଧରଣର ଠକେଇର ଫର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପରାଧା ଶାଖା । ଯାହାର କ୍ରମରେ ହାଇପ୍ରୋଫାଇଲ ଠକ କମଲଜିତ ସିଂକୁ ଗିରଫ କରିଛି EOW ।
ସୂଚନା ମୁତାବକ, ରାଜ୍ୟ କୃଷି ବିଭାଗ ପକ୍ଷରୁ ଚାଉଳ ମେସିନ କିଣିବା ପାଇଁ ସବସିଡ଼ି ପ୍ରଦାନ କରାଯାଏ । ହେଲେ ବିଭାଗରେ କାର୍ଯ୍ୟରତ କମଲଜିତ ସିଂ ଓ ତାଙ୍କ ଭାଇ ହରପାଲ ସିଂ ରାଜ୍ୟ କୃଷି ବିଭାଗକୁ ଚୁନା ଲଗାଇ ପଶ୍ଚିମ ଓଡ଼ିଶାର କିଛି କୃଷକଙ୍କ ନାଁରେ ରେଡ଼ଲାଣ୍ଡ ଆଶଲେନ ମୋଟର୍ସ ଠାରୁ ୨୮୧ଟି ଚାଉଳ ମେସିନର ଫର୍ଜି ବିଲ୍ କରି ୨୭୮ ଜଣ କୃଷକଙ୍କ ନାଁରେ ବିଭାଗରୁ ୩ କୋଟି ୪୯ ଲକ୍ଷ ଟଙ୍କା ନେଇଛନ୍ତି । ଏପରିକି କିଛି କୃଷକଙ୍କୁ ସେମାନଙ୍କ ଆକାଉଣ୍ଟ ଜରିଆରେ ସବସିଡ଼ ହାସଲ ପାଇଁ 5 ହଜାର ଟଙ୍କା ଲେଖାଏଁ ମଧ୍ୟ ଦେଇଛନ୍ତି । ଏଭଳି ହାଇଫାଇ ଠକେଇ ଘଟଣାର ସତ ସେତେବେଳେ ପଦାକୁ ଆସିଲା ଯେତେବେଳେ ରେଡ଼ଲାଣ୍ଡ ଆଶଲେନ ମୋଟର୍ସ ତାର କମ୍ପାନି ନାଁରେ ଫର୍ଜି ବିଲ୍ ହୋଇଥିବା କଥା ଜାଣିବାକୁ ପାଇଲେ ।
ଏନେଇ କେରଳସ୍ଥିତ ଏହି କମ୍ପାନିର PR ରିଗନ ବିନିତ ଏ ସମ୍ପର୍କରେ ଅର୍ଥନୈତିକ ଅପରାଧ ଶାଖାରେ ହରପାଲ ସିଂ ଓ କମଲଜିତ ସିଂ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଯାହାକୁ ନେଇ କମଲଜିତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି EOW । ତେବେ ଏହା ପଛରେ ଆଉ କିଛି ହାଇଫାଇ ଲୋକ ସାମିଲ ଥିବା EOW ସନ୍ଦେହ କରୁଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ