ଭୁବନେଶ୍ବର: ବିସ୍ଫୋରଣ ସ୍ଥିତିରେ କୋରୋନାର ସେକେଣ୍ଡ ଓ୍ଵେଭ । ଦୈନିକ ସଂକ୍ରମଣ ସଂଖ୍ୟା ସହ ତାଳ ଦେଇ ରେକର୍ଡ ଭାଙ୍ଗି ଚାଲିଛି ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ବିଗତ ୨୦ଦିନ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ୩ ଲକ୍ଷରେ ପହଁଞ୍ଚିଥିବା ଦେଖିବାକୁ ମିଳିଛି। ଏମିତି କି କୋରୋନା ମୁକାବିଲା ନେଇ ଟୀକାକରଣ ଚାଲିଥଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲଗାଇବା କଷ୍ଟକର ହୋଇପଡିଛି।
ଏଭଳି ସ୍ଥିତିରେ ଡାଇବେଟିସ, ହୃଦରୋଗ ଥିବା ରୋଗୀଙ୍କୁ ନେଇ ଘାରିଛି ସଂକ୍ରମଣର ଭୟ । କାରଣ ଏଭଳି ରୋଗରେ ପୀଡିତ ରୋଗୀଙ୍କ କୋରୋନାରେ ମୃତ୍ୟୁ ହାର ଅଧିକ । ତେବେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଆମେରିକାରେ ଜର୍ଣ୍ଣାଲ ଲାନସେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋରୋନା ବିରୋଧରେ ମୁକାବିଲା ପାଇଁ ସଞ୍ଜୀବନି ସାଜିଛି ଷ୍ଟେରଏଡ ଇନହେଲର । ସାଧାରଣତଃ ଆଜମା ରୋଗରେ ପୀଡିତ ରୋଗୀ ଏହାକୁ ବ୍ୟବହାର କରିଥାନ୍ତି । ଯେଉଁଥିରେ ସେମାନଙ୍କ ନିଶ୍ବାସ ପ୍ରଶ୍ଵାସ ନେବା ପ୍ରକ୍ରିୟା ସ୍ଵାଭାବିକ ହେବା ସହିତ ଫୁସଫୁସରେ ରକ୍ତ ସଞ୍ଚାଳନ ଠିକଭାବେ ହୋଇଥାଏ । କୋରୋନା ମଧ୍ୟ ମଣିଷ ଶରୀରରେ ଫୁସଫୁସ ଓ ଶ୍ଵାସନଳୀକୁ ବିଶେଷ ଭାବେ ସଂକ୍ରମିତ କରୁଛି। ଫଳରେ ରୋଗୀଟି ଅମ୍ଳଜାନ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
ତେଣୁ ଏଭଳି ପରିସ୍ଥିତିରେ କୋରୋନା ରୋଗୀମାନଙ୍କୁ ଆଜମା ମେଡିସିନ ଦିଆଯାଉଥିବା ବେଳେ ଏହା ଫଳପ୍ରଦ ହେଉଥିବା ପ୍ରମାଣିତ ହୋଇଛି । ଏକ ବିଶେଷଜ୍ଞ ଦଳ ଦ୍ଵାରା ୧୫୦ରୁ ଊର୍ଦ୍ଧ୍ବ ଆଜମା ରୋଗୀ, ଯେଉଁମାନେ କୋରୋନାରେ ମଧ୍ୟ ସଂକ୍ରମିତ । ସେମାନଙ୍କୁ ନେଇ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ଠାରେ କୋରୋନା ବିଶେଷ ପ୍ରଭାବ ପକାଇ ପାରୁନଥିବା ପରିଲିକ୍ଷିତ ହୋଇଛି । ତେଣୁ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ଉପୁଜିଛି,କୋରୋନା ରୋଗୀକୁ ମେଡିକାଲରେ ଶଯ୍ୟା ମିଳୁନଥିବା ବେଳେ ଅମ୍ଳଜାନ ମଧ୍ୟ ଅଭାବ ପଡୁଛି । ଏଭଳି କ୍ଷେତ୍ରରେ ଷ୍ଟେରଏଡ ଇନହେଲର ହିଁ କୋରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନଙ୍କର ଆଶା ରହିଛି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ