ଭୁବନେଶ୍ବର: 'ସୁସ୍ଥ ଶିଶୁ ଏବଂ ସୁସ୍ଥ ମା’ର ରାଜ୍ୟ ଦର୍ଶନ ଦିଗରେ ଆଉ ଏକ ପଦକ୍ଷେପ । 2021-22 ଆର୍ଥିକ ବର୍ଷ ପାଇଁ ଶିଶୁ ବିକାଶ ସେବା ପାଇଁ ବାର୍ଷିକ ପ୍ରୋଗ୍ରାମ ନିୟୋଜନ (APIP) ଯୋଜନା ଲାଗି 2548.37 କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।ଲୋକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି ବୈଠକ । ବୈଠକରେ 2021-22 ଆର୍ଥିକ ବର୍ଷ ପାଇଁ ଶିଶୁ ବିକାଶ ସେବା ବାର୍ଷିକ ପ୍ରୋଗ୍ରାମ ନିୟୋଜନ (APIP) ଯୋଜନା ଲାଗି 2548.37 କୋଟି ଟଙ୍କା ଅନୁମୋଦନ ହୋଇଛି ।
ପ୍ରସ୍ତାବିତ APIP କୁ ଗୁରୁତ୍ବ ଦେଇ ନିର୍ଦ୍ଦିଷ୍ଟ ଯୋଜନା ମାଧ୍ୟମରେ ଅଙ୍ଗନଓ୍ବାଡିମାନଙ୍କୁ ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷିତ ବିଦ୍ୟୁତ୍, ଶୌଚାଳୟ, ପାନୀୟ ଜଳ ଏବଂ ପିଲାମାନଙ୍କ ପାଇଁ ‘ଖେଳିବା ମାଧ୍ୟମରେ ଶିକ୍ଷା’ ଉପରେ ଗୁରୁତ୍ବାରୋପ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 11 ରୁ 14 ବର୍ଷ ବୟସର ଡ୍ରପ ଆଉଟ୍ କିଶୋର ବାଳିକାମାନଙ୍କର ଯତ୍ନ ନେବା ଲାଗି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ‘କିଶୋର ବାଳିକାମାନଙ୍କ ଯୋଜନା’ ଅନ୍ତର୍ଗତ ସମସ୍ତ କିଶୋରୀ ବାଳିକାଙ୍କ ଆଧାର ଲିଙ୍କ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ପ୍ରାୟ 35.08 ଲକ୍ଷ ପିଲା ଅଙ୍ଗନଓ୍ବାଡିଙ୍କ ଅଧୀନରେ ଅଛନ୍ତି । ଏହା ବ୍ୟତୀତ ପ୍ରାୟ 7.32 ଲକ୍ଷ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ଏବଂ 13,082 କିଶୋରୀଙ୍କୁ AWC ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି 2021-22 ପାଇଁ APIP ର ଆନୁମାନିକ ମୂଲ୍ୟ 2548.37 କୋଟି ଅଟେ । ଯେଉଁଥିରୁ ପାଖାପାଖି 2341.43 କୋଟି ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପୁଷ୍ଟିକର ଖାଦ୍ୟ, ୟୁନିଫର୍ମ, ମେଡିସିନ୍ କିଟ୍ ଉପକରଣ ଇତ୍ୟାଦି ସହିତ ଅଙ୍ଗନଓ୍ବାଡି ସେବା ପାଇଁ ଉଦ୍ଦିଷ୍ଟ । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥ ସଚିବ ଅଶୋକ କୁମାର ମୀନା, ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ, ଶକ୍ତି ସଚିବ ନିକୁଞ୍ଜବିହାରୀ ଧଳ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ