ଭୁବନେଶ୍ବର: ବେରୋଜଗାରକୁ ନେଇ ଆଗାମୀ ୨୦ ତାରିଖରେ ସାରା ରାଜ୍ୟର ସବୁ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରାଯିବ ବିକ୍ଷୋଭ ପ୍ରଦର୍ଶନ। ବେରୋଜଗାର ନେଇ ରାଜ୍ୟ ସରକାରଙ୍କୁ ପଚରାଯିବ ପ୍ରଶ୍ନ । ରାଜ୍ୟ ସରକାରଙ୍କୁ ଜବାବ ମଗାଯିବ । ଏହା ସହିତ ଭୁବନେଶ୍ବରରେ ମଧ୍ୟ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।
ରାଜ୍ୟ ସରକାର ଓଡିଆ ଯୁବକଙ୍କୁ ଧୋକା ଦେଇଛନ୍ତି । ୨୦ ବର୍ଷର ଶାସନ ପରେ ରାଜ୍ୟ ସରକାର ଓଡିଆ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ସରକାରଙ୍କୁ ସ୍ଵୀକାର କରିବାକୁ ପଡୁଛି ଯେ ବେରୋଜଗାରରେ ସାରାଦେଶରେ ୧ ନଂ। ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ୨୨ ଲକ୍ଷ ଯୁବକ employment exchangeରେ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ୨୬ ହଜାରଙ୍କୁ ଚାକିରୀ ମିଳିଥିବା ସେ ଅଭିଯୋଗ କରିଛନ୍ତି ।
ସରକାର ଏଜେନ୍ସି ଠାରୁ ଠିକା ନେଇ ଯୁବକଙ୍କୁ ନିଯୁକ୍ତି ଦେଉଛନ୍ତି। ସେହିପରି ଶିଳ୍ପରେ ଅଣ ଓଡିଆ ମାନଙ୍କୁ ନିଯୁକ୍ତି ଦେଉଛନ୍ତି । ଛୋଟ ଛୋଟ ଶିଳ୍ପ ଯାହା ଓଡିଆ ଯୁବକ ମାନେ କରିଥିଲେ ତାହା ସରକାରଙ୍କ ଚାପରେ ବନ୍ଦ ହେବାକୁ ଯାଉଛି । ଏହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିବ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ