ମଟନ ତରକାରୀ ହେଉକି ବିରିୟାନୀ, ପ୍ରାୟ ସମସ୍ତଙ୍କୁ ମଟନ୍ ଖାଇବା ଭାରି ପସନ୍ଦ । ଆଜି ଆମେ ମଟନର ଏମିତି ଏକ ରେସିପି କହିବୁ ଯାହା କେବଳ ପାଟିକୁ ସୁଆଦିଆ ନୁହେଁ, ଦେହ ପାଇଁ ବି ଖୁବ୍ ହିତକର, ତାହା ହେଉଛି ମଟନ ପାୟା ସୁପ୍ । ଏହି ସୁପ୍ରେ ଅନେକ ଔଷଧୀୟ ଗୁଣ ରହିଛି । ପ୍ରାଚୀନ କାଳରୁ ଏହାର ଉପଯୋଗ ଜ୍ବର, କାଶ ଓ ଗଣ୍ଠିଯନ୍ତ୍ରଣାର ଔଷଧ ଭାବେ କରାଯାଏ । ମଟନ ପାୟା ସୁପ୍ ଭିଟାମିନ ଓ ମିନେରାଲରେ ଭରପୂର ହୋଇଥାଏ । କାରଣ ଛେଳି ଗୋଡକୁ ରାନ୍ଧିଲେ ଏଥିରୁ କ୍ୟାଲସିୟମ, ଫସଫରସ୍, ମ୍ୟାଗ୍ନେସିୟମ, କୋଲାଜେନ, ଫ୍ଲୋରାଇଡ ଭଳି ପୋଷକ ତତ୍ତ୍ବ ମିଳେ ଯାହା ଆମର ହାଡ ପାଇଁ ଜରୁରୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିପାରେ ।
ଏହି ଖବରରେ ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ମଟନ୍ ପାୟା ସୁପ୍
ଆବଶ୍ୟକୀୟ ସାମଗ୍ରୀ:
ମଟନ ଲେଗ୍ (ଛେଳି ଗୋଡ)- 1 କେଜି
ଗୋଲମରିଚ- 1 ଚାମଚ
ଜିରା ପାଉଡର- 1 ଚାମଚ
କଟା ଅଦା
ରସୁଣ- 10 ପାଖୁଡା
କଞ୍ଚା ଲଙ୍କା- 4
ଟମାଟୋ- 1/2
ହଳଦୀ ପାଉଡର- ଅଧା ଚାମଚ
ଭୃସଙ୍ଗ ପତ୍ର- 10ରୁ 20
ଧନିଆ- ଗୋଟିଏ ବଡ ଚାମଚ
ଲୁଣ ସ୍ବାଦ ଅନୁସାରେ
ପାଣି- 2 ଲିଟର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ହଳଦୀ ଓ ଲୁଣରେ ମଟନ ଲେଗ୍କୁ ଭଲ ଭାବେ ସଫା କରି ଧୋଇ ଦିଅନ୍ତୁ ।
- ଏହାପରେ ଗ୍ରାଇଣ୍ଡରରେ ଗୋଲମରିଚ, ଜିରା, ଭୃସଙ୍ଗ ପତ୍ରକୁ ବାଟନ୍ତୁ ।
- ଏଥିରେ ପୁଣିଥରେ କଟା ଅଦା, ରସୁଣ, ଟମାଟୋ ଓ କଞ୍ଚା ଲଙ୍କା ମିଶାଇ ପେଷ୍ଟ କରନ୍ତୁ ।
- ଏବେ ଧୋଇ ରଖିଥିବା ମଟନ ଲେଗ୍ ପ୍ରେସର କୁକରରେ ଢାଳି, ଏଥିରେ ଅଳ୍ପ ହଳଦୀ, ଲୁଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟ ଓ ଦୁଇ ଲିଟର ପାଣି ଦେଇ ସିଝାନ୍ତୁ ।
- ଅଧିକ ଆଞ୍ଚରେ 10ରୁ 12ଟି ସିଟି ଆସିବା ଯାଏଁ ସିଝିବାକୁ ଦିଅନ୍ତୁ ।
- କୁକର ରୁ ସବୁ ପ୍ରେସର ବାହାରିବା ପରେ ଏହାକୁ ଖୋଲନ୍ତୁ । ଏବେ ଏଥିରେ କଟା ଧନିଆ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
- ଏଠି ପ୍ରସ୍ତୁତ ହୋଇଗଲା ଟେଷ୍ଟି ଓ ହେଲ୍ଦି ମଟନ ପାୟା ସୁପ୍ ।
ଘରେ ଏହି ରେସିପି ପ୍ରସ୍ତୁତ କରି ନିଜ ପରିବାରକୁ ପରଷି ଦିଅନ୍ତୁ । ସମସ୍ତେ ଖୁସି ହୋଇଯିବେ ।
ଏହା ମଧ୍ୟ ପଢନ୍ତୁ: ବଢିବ ପ୍ରେମ, ଆସିବନି ଫାଟ; ସ୍ବାମୀ-ସ୍ତ୍ରୀ ମାନନ୍ତୁ ଏହି 5 ଟିପ୍ସ ଏହା ମଧ୍ୟ ପଢନ୍ତୁ: ଛାଡଖାଇରେ ଏମିତି ବନାନ୍ତୁ ମଲାଇ ଚିଙ୍ଗୁଡି, ମଟନ୍ ବି ଭୁଲିଯିବେ ଏହା ମଧ୍ୟ ପଢନ୍ତୁ: ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ |